ମଡେଲ ଖୁସି ଅହିରୱାରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ୁଛି ଚର୍ଚ୍ଚା
ମଧ୍ୟପ୍ରଦେଶର ଭୋପାଳରେ ୨୧ ବର୍ଷୀୟା ମଡେଲ ଖୁସି ଅହିରୱାରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ୁଛି ଚର୍ଚ୍ଚା । ମୃତକଙ୍କ ପରିବାର ଖୁସିଙ୍କ ପ୍ରେମିକ କାସିମ ଅହମ୍ମଦଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ପୋଷ୍ଟମର୍ଟମ କରି ମୃତଦେହ ପରିବାରକୁ ହସ୍ତାନ୍ତର କରିଛି । ମୃତଦେହକୁ ସାଗର ଜିଲ୍ଲାର ମଣ୍ଡି ବାମୋରା ଗାଁକୁ ନେଇଯାଇଛନ୍ତି ପରିବାର ଲୋକ, ଯେଉଁଠାରେ ତାଙ୍କର ଦାହ ସଂସ୍କାର କରାଯାଇଛି । ସେପଟେ ଅଭିଯୁକ୍ତ କାସିମ ବର୍ତ୍ତମାନ ପୋଲିସ ହେପାଜତରେ ଅଛି ଏବଂ ତାକୁ ପଚରାଉଚରା କରାଯାଉଛି ।
ଏସିପି ଆଦିତ୍ୟରାଜ ସିଂହ କହିଛନ୍ତି ଯେ ରବିବାର ବିଳମ୍ବିତ ରାତିରେ ଖୁସିଙ୍କ ପ୍ରେମିକ କାସିମ୍ ଏବଂ ବସ୍ କଣ୍ଡକ୍ଟର ଖୁସିଙ୍କୁ ନେଇ ଚିରାୟୁ ହସ୍ପିଟାଲରେ ପହଞ୍ଚିଥିଲେ, କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ ଖୁସି । ସୂଚନା ପାଇବା ପରେ ଖଜୁରୀ ପୋଲିସ ଷ୍ଟେସନର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୁସିଙ୍କ ପ୍ରେମିକ କାସିମ ଏବଂ ବସ୍ କଣ୍ଡକ୍ଟରଙ୍କୁ ଉପସ୍ଥିତ ଥିବା ଦେଖିଥିଲେ । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହମିଦିଆ ହସ୍ପିଟାଲକୁ ପଠାଯାଇଥିଲା ଏବଂ କାସିମଙ୍କୁ ହେପାଜତରେ ନେଇ ପଚରାଉଚରା କରାଯାଇଥିଲା।
କାସିମ୍ ର କହିବା ଅନୁସାରେ ସେମାନେ ବସ୍ରେ ଉଜ୍ଜୟିନୀରୁ ଭୋପାଳକୁ ଆସୁଥିଲେ । ଫାଣ୍ଡା ଟୋଲ୍ ନିକଟରେ ସେ ଖୁସିଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଚେତ ଅବସ୍ତାରେ ଥିଲେ ଖୁସି । ଏମିତିକି ତାଙ୍କ ଶରୀର ଥଣ୍ଡା ହୋଇଯାଇଥିଲା । ପରେ କାସିମ୍ ଏବଂ ବସ୍ କଣ୍ଡକ୍ଟର ଖୁସିଙ୍କୁ ଏକ ଅଟୋରେ ବସାଇ ଚିରାୟୁ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ଖୁସିଙ୍କୁ ମୃତ ଘୋଷଣା କରିଥିଲେ ।
