ସିଂହଛୁଆ ସଙ୍ଗେ ଖେଳିଲେ , କ୍ଷୀର ପିଆଇଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ଅବସ୍ଥିତ ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ପରିଦର୍ଶନ କରିଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସିଂହ ଶାବକଙ୍କୁ ଗେଲ କରି କ୍ଷୀର ପିଆଉଥିବାର ନଜର ଆସିଛନ୍ତି । ବନତାରା ଆରମ୍ଭ କରିଥିବା ଅନନ୍ତ ଅମ୍ବାନୀ ନିଜେ ମୋଦୀଙ୍କୁ କେନ୍ଦ୍ର ପରିଦର୍ଶନ କରାଉଥିବା ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀ ବନତାରାରେ ବିଭିନ୍ନ ସୁବିଧା ଯାଞ୍ଚ କରିବା ସହ ବନ୍ୟଜୀବ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏଠାରେ ପଶୁମାନଙ୍କ ପାଇଁ MRI, CT ସ୍କାନ, ICU ଏବଂ ଅନ୍ୟାନ୍ୟ ଡାକ୍ତରୀ ସୁବିଧା ମଧ୍ୟ ରହିଛି । ବନତାରାରେ ପଶୁମାନଙ୍କ ପାଇଁ ବନ୍ୟଜୀବ ଆନାସ୍ଥେସିଆ, କାର୍ଡିଓଲୋଜି, ନେଫ୍ରୋଲୋଜି, ଏଣ୍ଡୋସ୍କୋପି, ଦନ୍ତ ଚିକିତ୍ସା, ଆଭ୍ୟନ୍ତରୀଣ ଚିକିତ୍ସା ସମେତ ଅନେକ ବିଭାଗ ରହିଛି ।ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ ଅଜଗର ସାପ, ଦୁଇ ମୁଣ୍ଡ ବିଶିଷ୍ଟ ସାପ, ଦୁଇ ମୁଣ୍ଡ ବିଶିଷ୍ଟ କଇଁଛ, ବିଶାଳ ଓଧ, ବୋଙ୍ଗୋ (ମୃଗ) ଏବଂ ସିଲ୍ ମଧ୍ୟ ଦେଖିଥିଲେ ।
ପ୍ରଧାନମନ୍ତ୍ରୀ ହାତୀମାନଙ୍କୁ ସେମାନଙ୍କ ଜାକୁଜି (ଗରମ ପାଣିର ବିଶାଳ କୁଣ୍ଡ) ରେ ଦେଖିଥିଲେ । ନିଜ ଗସ୍ତରେ ମୋଦୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, କ୍ଲାଉଡେଡ୍ କଲରାପତରିଆ ଶାବକ ସହିତ ଅନେକ ପଶୁଙ୍କ ସହ ଖେଳିଥିଲେ । ରୋଚକ କଥା ହେଉଛି ମୋଦୀ ଯେଉଁ ସିଂହ ଶାବକଙ୍କ ସହ ଖେଳି କ୍ଷୀର ପିଆଇଥିଲେ ଏହି ସମସ୍ତ ସିଂହ ଦୁର୍ଲ୍ଲଭ ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅଟନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପଶୁପ୍ରେମର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳେ । ମୋଦୀ କେତେବେଳେ ବାସଭବନରେ ବାଛୁରୀଙ୍କ ସହ ଖେଳୁଥିବାର ନଜର ଆସନ୍ତି ତ ଆଉ କେତେବେଳେ ସଫାରୀ ବୁଲି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖନ୍ତି ।