ମୋହନ ଦେଲେ ଟଙ୍କା, ନବୀନ କଲେ ଟାର୍ଗେଟ
ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ବର ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ନବୀନ ପଟ୍ଟନାୟକ କହିଛନ୍ତି, ମାଆମାନେ ପରିବାରର ଶକ୍ତି, ସମାଜର ଶକ୍ତି । ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଅନେକ ପଦକ୍ଷେପ ନେଇଥିଲେ ବିଜୁ ପଟ୍ଟନାୟକ ।
ବିଜୁ ପଟ୍ଟନାୟକଙ୍କୁ ଡବଲ ଇଞ୍ଜିନ ସରକାର ଅପମାନ କରିଥିବା କହିଛନ୍ତି ନବୀନ ପଟ୍ଟନାୟକ। ଏହାସହ ମିଶନ ଶକ୍ତି କାର୍ଯ୍ୟକ୍ରମ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିଛି । ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବିଜେପି ସରକାର । ତେବେ ଦିନକୁ ୨୭ ଟଙ୍କା ଦେଇ ବାଃ ବାଃ ନେଉଥିବା ଅଭିଯୋଗ କରିଛନ୍ତି ବିଜେଡି ସୁପ୍ରିମୋ । ଏହି ଯୋଜନାର କିଛି ଉପକାର ମହିଳାମାନେ ପାଇବେ ନାହିଁ ଓ ମହିଳାମାନଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତି କରୁଥିବା କହିଛନ୍ତି ନବୀନ।
ମୋଟ୍ ଉପରେ, ମହିଳା ଦିବସରେ ମହିଳାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଭେଟି ମିଳିଛି । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା । ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର ମହିଳା ଯୋଗଦେଇଛନ୍ତି । ଏସବୁ ଭିତରେ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀ ସଂଖ୍ୟା ।