ରାଜ୍ୟ

ରାଇରଙ୍ଗପୁର ଠାରେ ପ୍ରତିଷ୍ଠା ହେବ ନୂତନ ଆୟୁର୍ବେଦିକ କଲେଜ

0
(0)

ରାଜ୍ୟ ସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ୨୦୨୫ ପାଳନ । ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନ ଠାରେ ଜାତୀୟ ଆୟୁର୍ବେଦ ଦିବସ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ସାମିଲ୍ ହୋଇ କହିଛନ୍ତି, ଆୟୁର୍ବେଦ ହେଉଛି, ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆୟୁର୍ବେଦ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା ।

ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ । ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନ ଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇ ପାରିବ । ବର୍ତ୍ତମାନ ପ୍ରାୟ ସମସ୍ତେ ଆଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରୁଥିବା ବେଳେ, ଏହାର ପାର୍ଶ୍ବ ପ୍ରତିକ୍ରିୟା ଏବଂ ବ୍ୟୟସାପେକ୍ଷ ଚିକିତ୍ସା ପ୍ରଣାଳୀ ଲୋକଙ୍କୁ ବିକଳ୍ପ ଚିକିତ୍ସା ପଦ୍ଧତି ସଂପର୍କରେ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଆୟୁର୍ବେଦ ଓ ଯୋଗ ଆମକୁ ଏକ ସୁସ୍ଥ ଜୀବନଯାପନ ପାଇଁ ମାର୍ଗଦର୍ଶନ କରିଥାଏ । ଏହା ପ୍ରକୃତି ଓ ଶରୀର ସହ ସମନ୍ୱୟ ରକ୍ଷା କରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ, ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ ଗ୍ରହଣ କରିଛି ।

ସ୍ବାସ୍ଥ୍ୟ ସଚେତନ ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ଏକ ଜୀବନର ଧାରା (Way of Life) ଭାବେ ଗ୍ରହଣ କରିଛନ୍ତି । ଆମ ରାଜ୍ୟରେ ଆୟୁର୍ବେଦ ଶିକ୍ଷା, ଅନୁସନ୍ଧାନ ଓ ଚିକିତ୍ସାକୁ ନେଇ ଉଦ୍ୟମ କରାଯାଇଛି । ଆୟୁଷ ବିଭାଗ ମାଧ୍ୟମରେ ଗାଁ ଓ ସହର, ଉଭୟ ସ୍ତରରେ ଆୟୁର୍ବେଦ ଚିକିତ୍ସାକୁ ପହଞ୍ଚାଇବା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରି ଆସୁଛୁ । ଆୟୁର୍ବେଦ ମାନବ ଜୀବନର ଏକ ଅଂଶ ହେବା ଉଚିତ୍, ଯେଉଁଠି ରୋଗ ପ୍ରତିକାର ନୁହେଁ, ବରଂ ରୋଗ ପ୍ରତିରୋଧ ଓ ସ୍ବାସ୍ଥ୍ୟ ରକ୍ଷା ହେଉଛି ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ଓ ସରକାରଙ୍କ ଆଭିମୁଖ୍ୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ୩ଟି ସରକାରୀ ଆୟୁର୍ବେଦିକ କଲେଜ, ୪ଟି ସରକାରୀ ହୋମିଓପାଥିକ କଲେଜ, ୫ଟି ସରକାରୀ ଆୟୁର୍ବେଦିକ ଓ ୪ଟି ସରକାରୀ ହୋମିଓପାଥିକ ହସ୍ପିଟାଲ ଅଛି । ଯେଉଁଠି ନୂତନ ପିଢିର ଡାକ୍ତରମାନେ ତିଆରି ହେବା ସହିତ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ରୋଗୀ ପ୍ରାକୃତିକ ଭାବରେ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ୧ ହଜାର ୧୯୧ ଟି ଆୟୁଷ ଡିସ୍‌ପେନସାରୀ ଚାଲିଛି ଯାହା ମଧ୍ୟରୁ ୬୨୦ଟି ଆୟୁର୍ବେଦିକ, ୫୬୨ଟି ହୋମିଓପାଥିକ ଓ ୯ଟି ୟୁନାନି ଡିସ୍ପେନସାରୀ ଅଛି । ଏହି ସମସ୍ତ ଚିକିତ୍ସାକେନ୍ଦ୍ର ଗ୍ରାମ ଓ ଅନ୍ୟ ଅବହେଳିତ ଅଞ୍ଚଳରେ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି ।

ନ୍ୟାସନାଲ ଆୟୁଷ ମିଶନ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ୩ଟି ଇଣ୍ଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ ନିର୍ମାଣ କରାଯାଉଛି । ଆଗାମୀ ଦିନରେ ଏହା ଜରିଆରେ ଅଧିକ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇ ଦିଆଯିବ । ଏଥି ସହିତ ଚଳିତ ବର୍ଷ ଉଭୟ ରାଜ୍ୟସରକାର ଓ ଭାରତ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଏକ ନୂତନ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି | ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁଷ ଅଧିନରେ ଏକ ପଞ୍ଚକର୍ମ ୟୁନିଟ୍ କାର୍ଯ୍ୟରତ ଅଛି। ବରଗଡ଼ ଓ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଠାରେ ଦୁଇଟି ୟୁନିଟ୍ ନିର୍ମାଣ କରାଯାଉଛି । ଅଧିକ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ ପାଇଁ ଚଳିତବର୍ଷ ଆଉ ୮ଟି ନୂତନ ପଞ୍ଚକର୍ମ କେନ୍ଦ୍ର, ବିଭିନ୍ନ ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ କାର୍ଯ୍ୟାଳୟରେ ନିର୍ମାଣ କରାଯିବ ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିତିଲେ, ଯୋଗ ଓ ଆୟୁର୍ବେଦ ଆଦି ସବୁ ହଜାର ହଜାର ବର୍ଷର ଜ୍ଞାନ । ଆଜି ଏହି ସବୁ ଚିକିତ୍ସା ପଦ୍ଧତିର ଲୋକପ୍ରିୟତା ଦିନକୁ ଦିନ ବଢ଼ି ଚାଲିଛି । ଆଜି ବିଶ୍ଵ ଭାରତୀୟ ଚିକିତ୍ସା ବିଜ୍ଞାନକୁ ଚାହିଁ ରହିଛି । ଆମ ଶାସ୍ତ୍ର, ପୋଥି ଓ ପାଣ୍ଡୁଲିପି, ଏପରିକି ଅଥର୍ବ ବେଦରେ ଥିବା ଚିକିତ୍ସା ବିଜ୍ଞାନ ସଂପୂର୍ଣ୍ଣ ଭାବେ ଅନୁସନ୍ଧାନ ଏବଂ ଆବିଷ୍କୃତ ହୋଇନାହିଁ । ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଅଛି । ଏହି ଦିବସଟି ଆମକୁ ଆମର ପ୍ରାଚୀନ ପାରମ୍ପରିକ ଚିକିତ୍ସା ବିଧିକୁ ସ୍ମରଣ କରାଇଥାଏ । ଆପଣମାନଙ୍କ ସହଯୋଗରେ ଆୟୁର୍ବେଦକୁ ବିଶ୍ବ ମଞ୍ଚରେ ପ୍ରସାରିତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ଆୟୁଷ ବିଭାଗ ମାଧ୍ୟମରେ ଆମେ ଗାଁ ଓ ସହର, ଉଭୟ ସ୍ତରରେ ଆୟୁର୍ବେଦ ଚିକିତ୍ସାକୁ ପହଞ୍ଚାଇବା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରି ଆସୁଛୁ । ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୨ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଛି । ଖୁବ୍ ଶୀଘ୍ର ରାଇରଙ୍ଗପୁର ଠାରେ ଆୟୁର୍ବେଦିକ ମେଡିକାଲ କଲେଜ ଖୋଲିବାକୁ ମଧ୍ୟ ଯାଉଛି।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନ୍ୟୁଜ୍ ଲେଟର, ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସଚିବ ତଥା କମିଶନର ଅଶ୍ୱଥି ଏସ. ସ୍ୱାଗତ ଭାଷଣ ଦେଇଥିବା ବେଳେ ଆୟୁଷ ନିର୍ଦ୍ଦେଶିକା ଶ୍ରୀମତୀ ଅଞ୍ଜନା ପଣ୍ଡା ଧନ୍ୟବାଦ ଦେଇଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE