ରାଜ୍ୟ

ମାଳଦ୍ବୀପରେ ଚମକିଲେ ଓଡ଼ିଆ ଝିଅ

0
(0)

 

୨୦୧୦ରେ ଓଡ଼ିଶାର ସମ୍ବଲପୁରରେ ତିସ୍ୟାଙ୍କ ଜନ୍ମ । ହେଲେ ଗତ ୧୩ ବର୍ଷ ହେଲା ସେ ଦୁବାଇରେ ରହିଆସୁଛନ୍ତି । ମାତ୍ର ୧୦ ବର୍ଷ ବୟସରୁ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ । ତିସ୍ୟା ଏବେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର, ସର୍ବକନିଷ୍ଠ ଆଡଭାନସଡ ସ୍କୁବା ଡାଇଭର ଓ ସମୁଦ୍ରର ୧୦୦ ଫୁଟ୍ ଗଭୀର ଜଳରାଶିରେ ୫୦ତମ ଡାଇଭିଂ କରିବାର ସର୍ବକନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ରେକର୍ଡ ହାସଲ କରିଛନ୍ତି ।

ଅକାତ କାତ ପାଣି । ତା’ ଉପରେ ସାମୁଦ୍ରିକ ଜୀବଜନ୍ତୁଙ୍କ ଭୟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଗଭୀର ସମୁଦ୍ରରେ ଡାଇଭିଂ କରୁଥିବା ଏ ହେଲେ- ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ । ବୟସ ମାତ୍ର ୧୫ ବର୍ଷ । କିନ୍ତୁ ଏତେ କମ୍ ବୟସରୁ ସେ ଯେଉଁ ରେକର୍ଡ କରିଛନ୍ତି, ତାହା ଯିଏ ଶୁଣୁଛି ବାଃ ବାଃ କରୁଛି । ମାଳଦ୍ୱୀପର ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ୫୦ତମ ଡାଇଭ୍‌ ପୂରଣ କରିବାର ରେକର୍ଡ କରିଛନ୍ତି ତିସ୍ୟା । ଆଉ ବନିଯାଇଛନ୍ତି ସବୁଠାରୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର୍ ।ମାଳଦ୍ବୀପର ‘କାଣ୍ଡୁମା ଥିଲା’ ଡାଇଭ୍ ସ୍ଥଳରେ ତିସ୍ୟା ନିଜର ୫୦ତମ ଡାଇଭ୍ ପୂରା କରିଛନ୍ତି । ପ୍ରଖର ସ୍ରୋତ, ଗଭୀର ଜଳରାଶି ଓ ସୁଦୃଶ୍ୟ ଜଳଜୀବଙ୍କ ଆଡ୍ଡାସ୍ଥଳୀ ‘କାଣ୍ଡୁମା ଥିଲା’ ମାଳଦ୍ବୀପର ଗୋଟିଏ ଜଣାଶୁଣା ଏବଂ ରୋମାଞ୍ଚକର ଡାଇଭ ସାଇଟ୍ ।

ତାଲିମ ଦୃଷ୍ଟିରୁ ଅତ୍ୟନ୍ତ କଠିନ ଏହି ସ୍ଥାନରେ ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ସ୍କୁବା ଡାଇଭିଂ କରିଥିଲେ ତିସ୍ୟା । ଦକ୍ଷିଣ ଆଫ୍ରିକାର ସ୍କୁବା ଡାଇଭିଂ ଇନଷ୍ଟ୍ରକଟର ଲୁକାଙ୍କର ନିରୀକ୍ଷଣରେ ଏହି ଡାଇଭ୍‌ ହୋଇଥିଲା । ଏଥିରେ ତିସ୍ୟାଙ୍କ ବାପା ତଥା ଆଡଭାନ୍ସଡ ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀ ସାଥ୍ ଦେଇଥିଲେ । ଡାଇଭିଂ ବେଳେ ପ୍ରଖର ସ୍ରୋତରୁ ସୁରକ୍ଷିତ ରହିବା ପାଇଁ ଉଭୟ ପ୍ରବାଳ ପ୍ରାଚୀରର ଗୋଟିଏ ଅଂଶରେ ହୁକ୍ ବ୍ୟବହାର କରିଥିଲେ । ତେବେ ଅଥଳ ଜଳରାଶିରେ ଡାଇଭିଂ ବେଳେ ସାର୍କ ଓ ଅନ୍ୟାନ୍ୟ ବିଶାଳ ସାମୁଦ୍ରିକଜୀବଙ୍କ ସଂସ୍ପର୍ଶରେ ଆସିବା ଦୁହିଁଙ୍କ ପାଇଁ ଯେତିକି କୌତୁହଳ ଥିଲା ସେତିକି ରୋମାଞ୍ଚଭରା ଥିଲା ବୋଲି କହିଛନ୍ତି ତାଙ୍କର ବାପା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE