ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍) ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଓପନ୍ ସ୍କୁଲ)ଫଳାଫଳ ଏକକାଳୀନ ପ୍ରକାଶ ପାଇଛି। ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି।
ବହୁ ପ୍ରୀତିକ୍ଷିତ ମାଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ମରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏହି ରେଜଲ୍ଟ ସନ୍ଧ୍ୟା ୬ଟା ପରେ ୱେବ୍ସାଇଟ୍ http://bseodisha.ac.inରେ ଦେଖିପାରିବେ। ମାଟ୍ରିକ ପରୀକ୍ଷା-୨୦୨୫ ଗତ ଫେବ୍ରୁଆରି ୨୧ ତାରଖ ଠାରୁ ଆରମ୍ଭ ହୋଇଥିଲା। ପ୍ରାୟ ୫ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା। ସେହିପରି ମଧ୍ୟମା, ଓପନ୍ ସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା। ରାଜ୍ୟରେ ୫୧ଟି କେନ୍ଦ୍ରରେ ମୂଲ୍ୟାୟନ ଚାଲିଥିଲା ବେଳେ ଏଥିରେ ପାଖାପାଖି ୧୨ହଜାର ଶିକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ମାଟ୍ରିକ୍ର ସଂକ୍ଷିପ୍ତ ଉତ୍ତରମୂଳକର ଓଏମ୍ଆର୍ ଉତ୍ତରଫର୍ଦ୍ଦ ରାଜ୍ୟ ବାହାରେ ମୂଲ୍ୟାୟନ ହୋଇଥିଲା।ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।
