ମାଲକାନଗିରି ରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
ଗତ ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା ହେବା ଦ୍ୱାରା ଜିଲ୍ଲା ବେହାଲ ହୋଇପଡ଼ିଛି । ନଦୀରେ ବନ୍ୟା ଜଳ ଯୋଗୁ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ପୋଟେରୁ,କାଙ୍ଗୁରକୋଣ୍ଡା, ଏମଭି ୯୬, ଏମଭି ୭ ନମ୍ବର ପୋଲ ଓ କନ୍ୟାଶ୍ରମ ପୋଲ ଉପରେ ୫ଫୁଟ ଉଚ୍ଚର ପାଣି ଚାଲିଛି । ଯାହା ଫଳରେ ମାଲକାନଗିରିରୁ କାଲିମେଳା ମୋଟୁ ଓ ପଡ଼ିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଠିକ ସେହିପରି ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜ ପଥ ପାଙ୍ଗାମ ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ଜୟପୁର ଓ ଅନ୍ୟାନ୍ୟ ଅଞ୍ଚଳକୁ ଯାନ ବାହାନ ଚଳାଚଳ ବନ୍ଦ ରହିଛି । ଚାଲାଣଗୁଡ଼ା ପଞ୍ଚାୟତ ତମସା ନଦୀର ପୋଲ ଓ ବାଙ୍କୀଗୁଡ଼ା ପୋଲ ବୁଡ଼ି ଯିବାରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ରହିଛି ।
ଏହି ବର୍ଷାରେ ବାଲିମେଳା ଚିତ୍ରକୋଣ୍ଡା ଘାଟି ଭଲବ ହାଉସ ଛକ ଠାରେ ମାଟି ଅତଡ଼ା ଖସି ଚିତ୍ରକୋଣ୍ଡା ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବଣ୍ଡାଘାଟି ମୁଦୁଲିପଡ଼ା ଘାଟି ରାସ୍ତାରେ ପାହାଡ଼ରୁ ପଥର ଅତଡ଼ା ଖସି ଯାତାୟତରେ ବାଧା ସୃଷ୍ଟି ହୋଇଛି । ରବିବାର ଅପରାହ୍ନରୁ ସୋମବାର ସକାଳ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନ ବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି।
ସେହିପରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପିଲିଗଡ଼ା କଲଭର୍ଟର ଗୋଟିଏ ପାର୍ଶ୍ୱ ବର୍ଷାଜଳରେ ଧୋଇ ହୋଇ ଯିବାରୁ ଆନ୍ଧ୍ର-ଓଡ଼ିଶାକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ କେତେକ ଲୋକଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।ମାଲକାନଗିରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ମଧ୍ୟ ସମସ୍ତ ଅଞ୍ଚଳରେ ସଜାଗ ହୋଇ ରହିଛି । ଏହି ଅଞ୍ଚଳରେ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପୋଲ ଗୁଡ଼ିକ ନିକଟରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।
ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉନ୍ନୟନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ,ବିଡ଼ିଓ, ତହସିଲଦାର ଓ ଅନ୍ୟାନ ଅଧିକାରୀ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହିତ ନିଜେ ଜିଲ୍ଲାପାଳ ଶ୍ରୀ ପାଟିଲ ବନ୍ୟା ପ୍ରଭାବିତ ପୋଟରୁ ଅଞ୍ଚଳ ଗସ୍ତକରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ନଦୀ କୁଳିଆ ତଳିଆ ଅଞ୍ଚଳ ବନ୍ୟା ପ୍ରଭାବିତ ଗ୍ରାମ ଗୁଡିକରୁ ୫୦୦ରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ମାଟି ଅତଡ଼ା ଖସିଥିବା ସ୍ଥାନରୁ ରାସ୍ତା ସଫା କାର୍ଯ୍ୟ ଆରମ୍ଭ ହୋଇଛି । ବିଭିନ୍ନ ଅଞ୍ଚଳକୁ ପ୍ରଶାସନିକ ଆଧିକାରୀ ଗସ୍ତ କରି କ୍ଷୟକ୍ଷତିର ବିବରଣୀ ସଂଗ୍ରହ ଆରମ୍ଭ କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ସୂଚନା ଦେଇଛନ୍ତି ।
ଜିଲା ପ୍ରଶାସନର ପାଣିପାଗ ବିଭାଗ ଦେଇଥିବା ସୂଚନାନୁଯାୟୀ, ରବିବାର ସକାଳ ୮ଟା ଠାରୁ ସୋମବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସର୍ବ ମୋଟ ୧୨୭୦ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲ୍ଲାରେ ହାରାହାରି ୧୮୧.୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ମାଲକାନଗିରି ବ୍ଲକରେ ସର୍ବାଧିକ ୨୫୩.୦ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୧୫୦ ମିଲିମିଟର, ଖଇରପୁଟ ବ୍ଲକରେ ୨୧୭ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୨୨୫ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୨୦୦ ମିଲିମିଟର,କାଲିମେଳା ବ୍ଲକରେ ୧୨୭ମିଲିମିଟର, ପଡ଼ିଆ ବ୍ଲକରେ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ସହର ସମତେ ବିଭିନ୍ନ ଗ୍ରାମାଞ୍ଚଳର ଅନେକ ସ୍ଥାନରେ ବର୍ଷା ପାଣିର ସୁଅ ଚାଲିଛି । ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀ ଫୁଲିବାକୁ ଲାଗିଲାଣି । ତମସା, ପୋଟେରୁ,ସାବେରୀ, ସିଲେରୁ, ନଦୀକୂଳରେ ଥିବା ଅନେକ ଗ୍ରାମ ଓ ଘରେ ପାଣି ପଶି କାନ୍ଥ ଭୁଶୁଡ଼ି ପଡିବା ସହିତ ସହ ସହ ହେକ୍ଟର ଜମିରେ ପାଣି ଓ ବାଲିଚରି ଯାଇ ଧାନ ଫସଲ ନଷ୍ଟ ହୋଇଛି। ଅନେକ ବାଡ଼ି ବଗିଚାରେ ପାଣି ପସି ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଯାଇଥିବାର ଜଣାପଡ଼ିଛି।