ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦,୦୦୦ ଟଙ୍କା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତ୍ୟେକ ପରିବାରର ମହିଳାଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା । ନୀତିଶ ସରକାର ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦେବେ ।
ଏହି ରାଶି ସେପ୍ଟେମ୍ବର ୨୦୨୫ରେ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ନୀତିଶ କ୍ୟାବିନେଟରୁ ଅନୁମୋଦନ ମିଳିଛି । ନଭେମ୍ବର ୨୦୦୫ ରେ ସରକାର ଗଠନ ହେବା ପରଠାରୁ ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ଭାବରେ କାମ ହୋଇଛି । ମହିଳାମାନଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।
ଏବେ ମହିଳାମାନେ କେବଳ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ବିହାରର ପ୍ରଗତିରେ ଯୋଗଦାନ ଦେଉଛନ୍ତି ନାହିଁ ବରଂ ସେମାନେ ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥାକୁ ମଧ୍ୟ ମଜବୁତ କରୁଛନ୍ତି । ଏହି ମିଶନକୁ ଆଗକୁ ନେଇ ଏବେ ମହିଳାମାନଙ୍କ ହିତରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭୂତପୂର୍ବ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି । ନୀତିଶ କହିଛନ୍ତି ଯେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହିଳା ନିଯୁକ୍ତି ପାଇଁ ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’କୁ ମଞ୍ଜୁରୀ ଦିଆଯାଇଛି ।
