ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ
କେନ୍ଦ୍ର ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍ ପିଏମ୍-ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ବର୍ଷକୁ ଦେଶରେ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାର ଲାଭ ମିଳିବ । ଉଚ୍ଚ ଶିକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ଏବେ ବାଧକ ହେବ ନାହିଁ । ଯେଉଁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଅଧାରରେ ପାଠ ଛାଡ଼ିବା ପାଇଁ ବାଧ୍ୟ ହେଉଥିଲେ, ସେମାନଙ୍କୁ ଭଲ କଲେଜରେ ଆଡମିଶନ ପାଇଁ ଗ୍ୟାରେଣ୍ଟି ମିଳିବ । ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ଲୋନ ସହଜରେ ଉପଲବ୍ଧ କରାଯିବ ।
ସରକାରଙ୍କ ଘୋଷଣା ଅନୁସାରେ ଦେଶର ଶୀର୍ଷ ୮୬୦ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଉଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଲୋନ ମିଳିବ । ଏହି ଯୋଜନାରେ ବାର୍ଷିକ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭବାନ ହେବେ । ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାର ଉଦ୍ଦେଶ୍ୟ ଗତ ଦଶନ୍ଧିର ପ୍ରୟାସକୁ ଆହୁରି ବିସ୍ତାର କରି ଯୁବ ପିଢିଙ୍କ ନିକଟରେ ଗୁଣାତ୍ମକ ଉଚ୍ଚ ଶିକ୍ଷା ପହଞ୍ଚାଇବା ।
ଏହି ଯୋଜନାରେ ବିନା କୌଣସି ଗ୍ୟାରେଣ୍ଟିରେ ଶିକ୍ଷା ଲୋନ ମିଳିବ । ଭାରତ ସରକାର ୭.୫ ଲକ୍ଷ ଟଙ୍କା ଯାଏ ଲୋନ୍ ଆମାଉଣ୍ଟ ପାଇଁ ୭୫ ପ୍ରତିଶତ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ । ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଯାଏ ଲୋନ ଉପରେ ୩ ପ୍ରତିଶତ ସୁଧ ଲାଗିବ । ତେବେ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ଥିବା ପରିବାରର ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ହେବ । ଏହା ବାର୍ଷିକ ୪.୫ ଲକ୍ଷ ଟଙ୍କା ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ଉପଲବ୍ଧ ବର୍ତ୍ତମାନର ସୁଧ ରିହାତିରୁ ଅତିରିକ୍ତ ରହିବ