ପୁନମ ଗୁପ୍ତା ହେଲେ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର
ଡ.ପୁନମ ଗୁପ୍ତାଙ୍କୁ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡେପୁଟି ଗଭର୍ଣ୍ଣର ନିଯିକ୍ତ କରିଛନ୍ତି। ଡ. ଗୁପ୍ତା ଦେଶର ପ୍ରତିଷ୍ଠିତ ଗବେଷଣା ସଂସ୍ଥା ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନମିକ ରିସର୍ଚ୍ଚ (ଏନସିଏଇଆର)ର ମହାନିର୍ଦ୍ଦେଶକ ଅଛନ୍ତି। ଆରବିଆଇ ଡେପୁଟି ଗଭର୍ଣ୍ଣର ରୂପେ ଡ.ଗୁପ୍ତାଙ୍କ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକରିବେ। ମାଇକେଲ ଦେବବ୍ରତ ପାତ୍ର ଗତ ଜାନୁୟାରୀରେ ପଦ ଛାଡିବା ପରେ ଡ. ଗୁପ୍ତାଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ଏହି ପଦବୀ ଦିଆଯାଇଛି।
ସୂତ୍ର ଅନୁସାରେ କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି (ଏସିସି) ଆରବିଆଇ ଡେପୁଟି ଗଭର୍ଣ୍ଣର ଭାବେ ଡ. ଗୁପ୍ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଡ.ଗୁପ୍ତା କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ୩ ବର୍ଷ ନିମନ୍ତେ ତାଙ୍କ ନିଯୁକ୍ତିକୁ ଏସିସି ମଞ୍ଜୁର କରିଛନ୍ତି। ଡ. ଗୁପ୍ତା ଏବେ ଏନସିଏଆଇଆରର ମହାନିର୍ଦ୍ଦେଶକ ଅଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ମଧ୍ୟ ଦସସ୍ୟା ଅଛନ୍ତି, ଏହା ଛଡା ସେ ୧୬ତମ ଆର୍ଥିକ ଆୟୋଗ ପରାମର୍ଶଦାତା ପରିଷଦର ସଂଯୋଜିକା ମଧ୍ୟ ଅଛନ୍ତି।
ୱାସିଂଟନରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ) ଓ ବିଶ୍ୱବ୍ୟାଙ୍କର ବରିଷ୍ଠ ପଦପଦବୀରେ ପାଖାପାଖି ଦୁଇ ଦଶନ୍ଧୀ ଧରି କାମ କରିବା ପରେ ୨୦୨୧ରେ ଏନସିଏଆଇଆରରେ ଯୋଗ ଦେଇଥିଲେ। ଡ. ଗୁପ୍ତା ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସ, ୟୁନିଭର୍ସିଟି ଅଫ ମେରିଲ୍ୟାଣ୍ଡ (ଆମେରିକା)ରେ ଅଧ୍ୟାପନା କରୁଥିଲେ। ଏହା ଛଡା ଭାରତୀୟ ପରିସଂଖ୍ୟାନ ସଂସ୍ଥାନ (ଆଇଏସଆଇ)ଦିଲ୍ଲୀରେ ଭିଜିଟିଂ ଫାକଲ୍ଟି ରୂପେ ମଧ୍ୟ କାମ କରିଛନ୍ତି। ଏହା ଛଡା ସେ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (ଏନଆଇପିଏଫପି)ରେ ଆରବିଆଇ ଚେୟାର ପ୍ରଫେସର ଓ ଆଇସିଆରଆଇଆଇରେ ମଧ୍ୟ ପ୍ରଫେସର ଥିଲେ। ଡ. ଗୁପ୍ତା ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରି ସହିତ ପିଏଚଡି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସ ଅର୍ଥଶାସ୍ତ୍ରରେ ମାଷ୍ଟରଡିଗ୍ରି ହାସଲ କରିଛନ୍ତି। ସେ ଅନ୍ତର୍ଜାତୀୟ ଅର୍ଥଶାସ୍ତ୍ରରେ ପିଏଚଡି ଲାଗି ୧୯୯୮ରେ ଏକଜିମ ବ୍ୟାଙ୍କ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।
