ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ
ପ୍ରଖ୍ୟାତ ପରିବେଶବିତ୍ ତଥା ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଥିମକ୍କା ହଜାର ହଜାର ଚାରାରୋପଣ କରିବା ଓ ତା’ର ରକ୍ଷଣାବେକ୍ଷଣ କରି ପୂରା ଦେଶରେ ଚର୍ଚ୍ଚାକୁ ଆସିଥିଲେ।
ବୃକ୍ଷଗୁଡ଼ିକ ସେ ନିଜର ସନ୍ତାନ ଭଳି ସୁରକ୍ଷା ଦେଉଥିବାରୁ ତାଙ୍କୁ ବୃକ୍ଷଙ୍କ ମା’ ବୋଲି କୁହାଯାଇଥାଏ।
ଥିମକ୍କାଙ୍କ ଜନ୍ମ ୧୯୧୧ ମସିହା ଜୁନ ୩୦ରେ ତୁମକୁରୁ ଜିଲ୍ଲାର ଗୁବ୍ବି ତାଲୁକରେ ହୋଇଥିଲା। କର୍ଣ୍ଣାଟକର ଗ୍ରାମାଞ୍ଚଳରେ ବୃକ୍ଷରୋପଣ କରି ସବୁଜ ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ।
ଥିମକ୍କା ରାମନଗର ଜିଲ୍ଲାର ହୁଲିକଲ ଓ କୁଦୁର ମଧ୍ୟରେ ୪.୫ କିମି ରାସ୍ତାରେ ତାଙ୍କ ସ୍ବାମୀଙ୍କ ସହ ମିଶି ୩୮୫ଟି ବରଗଛ ଲଗାଇଥିଲେ ଓ ନିଜର ସନ୍ତାନ ପରି ସେଗୁଡ଼ିକର ଯତ୍ନ ନେଉଥିଲେ। ପରେ ସେ ୮ ହଜାରରୁ ଅଧିକ ବୃକ୍ଷରୋପଣ କରିଥିଲେ।
