ବିଜେଡିକୁ ଘାରିଛି ଚକ୍ରାନ୍ତ ରାଜନୀତି
ଘଡାଇ ଖୋଲିଲେ କୋରେଇ ଗୁମର । ପରୋକ୍ଷରେ ବିଜେଡିକୁ ନିଶାନା କଲେ, ପୁଅ ବିରୋଧରେ ହୋଇଥିବା ଚକ୍ରାନ୍ତକୁ ନେଇ ବିଷୋଦଗାର ବି କଲେ । ଗତକାଲି କୋରେଇରେ ଏକ ଉତ୍ସବ ମଞ୍ଚରୁ ପୁଅ ପ୍ରୀତିରଞ୍ଜନଙ୍କୁ କିଭଳି ଗତ ନିର୍ବାଚନବେଳେ ଚକ୍ରାନ୍ତ କରି ସୁକିନ୍ଦା ପଠାଗଲା ସେ ଗୁମର ଖୋଲି, ଅହଂକାରରେ ସରକାର ଭାଙ୍ଗିଯାଏ ବୋଲି ବି କହିବାକୁ ପଛାଇନଥିଲେ ସିନିୟର ଘଡ଼ାଇ । ଯାହାକୁ ବିଜେଡି କଡ଼ା କାଉଣ୍ଟର କରି କହିଛି- ଆମ ଦଳରେ କେହି ଷଡ଼ଯନ୍ତ୍ର କରନ୍ତିନି । ତେଣେ ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବି ଘଡ଼ାଇ ବାପ-ପୁଅଙ୍କୁ ମାରିଛନ୍ତି ତେରଛା ବାଣ ।
ପୁଅ ପାଇଁ ମୁହଁ ଖୋଲିଲେ । ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି ବିଷୋଦଗାର କଲେ । ବିଜୁ ଜନତା ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଏଭଳି ସାଙ୍ଘାତିକ ବୟାନ ଏବେ ବିଜେଡି ରାଜନୀତିରେ ସୃଷ୍ଟି କରିଛି କଂପନ । ପୁଅ ପ୍ରୀତିରଞ୍ଜନଙ୍କୁ କିପରି ଚକ୍ରାନ୍ତ କରି କୋରେଇ ଆସନରୁ ସୁକିନ୍ଦା ପଠା ଯାଇଥିଲା, ତାକୁ କୋରେଇ କରଦା ହରିହାଟ ମହୋତ୍ସବ ମଞ୍ଚରେ ଖୋଲାଖୋଲି ବଖାଣିଛନ୍ତି ସିନିୟର ଘଡାଇ । ପ୍ରଫୁଲ୍ଲ କହିଥିଲେ ମୋ ପୁଅ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ସୁକିନ୍ଦା ଯିବାକୁ ପଡିଲା । ଦଳୀୟ ରାଜନୀତିର ଶିକାର ହୋଇ ସେଦିନଠୁ ମୁଁ ବି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛି । ଅହଂକାରରେ ରାଜନୈତିକ ଦଳ ଭାଙ୍ଗିଯାଏ । ଅହଂକାରରେ ବ୍ୟକ୍ତି ନଷ୍ଟ ହୋଇଯାଏ ଓ ଅହଂକାରରେ ସରକାର ବି ଭାଙ୍ଗିଯାଏ ବୋଲି କାହା ନାଁ ନନେଇ କହିବାକୁ ପଛାଇନଥିଲେ ପ୍ରଫୁଲ୍ଲ ଘଡ଼ାଇ ।