ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ ସମ୍ମାନିତ
ବିଶ୍ବରେ ଓଡ଼ିଶାର ଛବିରେ ଚମକ ଭରିଥିବା ହାତ ଗଣତି ଓଡ଼ିଆଙ୍କ ମଧ୍ୟରେ ପ୍ରମୁଖ ବ୍ୟକ୍ତିତ୍ବ ତାରାରଞ୍ଜନ ପଟ୍ଟନାୟକ । ଜଣେ ସଫଳ ବ୍ୟବସାୟୀ ସହ ଭଲ ମଣିଷ ଭାବରେ ଖାଲି ଓଡିଶା କି ଭାରତ ନୁହେଁ ବରଂ ସାରା ଦୁନିଆରେ ଏକେ ବେଞ୍ଚମାର୍କ ସୃଷ୍ଟି କରିଥିବା ବ୍ୟକ୍ତିତ୍ବ ହେଉଛନ୍ତି ତାରା ରଞ୍ଜନ । ଏକ ଟ୍ରଲର ବ୍ୟବସାୟରୁ ଜୀବନ ଆରମ୍ଭ କରିଥିବା ତାରାରଞ୍ଜନ ଆଜି ବିଶ୍ବରେ ମେରାଇନ ଏକ୍ସପୋର୍ଟର ପୋଷ୍ଟର ବୟ ସାଜିଛନ୍ତି । ତାଙ୍କ ଏକାଗ୍ରତା, ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ହିଁ ସଫଳତାର ପଥ ପ୍ରସ୍ତୁତ କରିଛି । ସଂଘର୍ଷ, ସଫଳତା ଓ ନିସ୍ବାର୍ଥପରତାର ସର୍ବଶ୍ରେଷ୍ଠ ଉଦାହରଣ ସାଜିଛନ୍ତି ଏହି ଓଡ଼ିଆ ପୁଅ । ସମାଜ ପାଇଁ ସେ ଯେତିକି ପ୍ରେରଣା ତାଙ୍କ ଅବଦାନ ମଧ୍ୟ ସେତିକି । ତାଙ୍କ ଭଳି ବିଶ୍ବ ବାଣିଜ୍ୟ ମାନଚିତ୍ରର ସାଇନିଂ ଷ୍ଟାରଙ୍କୁ ସମ୍ମାନିତ କରିବାର ସୁଯୋଗ ଲାଭ କରିଛି ଇଣ୍ଟରଭ୍ୟୁ ଟାଇମ୍ସ । ଇଣ୍ଟରଭ୍ୟୁ ଟାଇମ୍ସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ହାତରୁ ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନିତ କରି ଆମ ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ଖୁସି ପ୍ରକାଶ କରୁଛି ।
ତାରାରଞ୍ଜନ ପଟ୍ଟନାୟକ । ଦେଶର ଜରୁରୀକାଳୀନ ସ୍ଥିତିରେ ନିଜ ଭବିଷ୍ୟତକୁ ନେଇ ସନ୍ଦିହୀନ ହୋଇପଡ଼ିଥିବା ମଧ୍ୟବିତ୍ତ ପରିବାରର ଯୁବକଟିଏ । ଯିଏ କି ଆଜି ବିଶ୍ବରେ ବିଶିଷ୍ଟ ଶିଳ୍ପପତିଭାବେ ପରିଚିତ । କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ୧୯୫୩ ମସିହା ମାର୍ଚ୍ଚ ୧ତାରିଖରେ ଆନନ୍ଦପୁରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତାରରଞ୍ଜନ । ବାପା ପଦ୍ମନାଭ ପଟ୍ଟନାୟକ ଜଣେ ଓକିଲ ଥିଲେ । ୧୯୫୪ ମସିହାରେ ଆନନ୍ଦପୁରର ଏକ ସରକାରୀ ବିଦ୍ୟାଳୟରେ ତାଙ୍କ ଶିକ୍ଷାଗତ ଜୀବନ ଆରମ୍ଭ କରିଥିଲେ । ପରେ ୧୯୬୯ ମସିହାରେ ଭଦ୍ରକ କଲେଜରେ ଯୁକ୍ତଦୁଇରେ ନାମ ଲେଖାଇଥିଲେ । ସେଠାରେ କଲେଜରେ ବାରମ୍ବାର ଷ୍ଟ୍ରାଇକ୍ ଏବଂ ଛାତ୍ର ଆନ୍ଦୋଳନ ଯୋଗୁଁ ସେ ବିଚଳିତ ହୋଇପଡ଼ିଥିଲେ । ପରେ କେନ୍ଦୁଝରକୁ ଫେରିଆସି ସେଠାରେ ସ୍ନାତକ ଶେଷ କରିଥିଲେ । ବାପାଙ୍କ ଭଳି ଜଣେ ଓକିଲ ହେବାକୁ ସ୍ବପ୍ନଦେଖି ପରେ ଓକିଲାତିରେ କ୍ୟାରିଅର କରିଥିଲେ । ଓକିଲ ଭାବେ ପ୍ରତିଷ୍ଠିତ ହେବାକୁ ସ୍ବପ୍ନ ଦେଖୁଥିବା ତାରାଙ୍କୁ କିନ୍ତୁ ଏକ ନୂଆ ଦୁନିଆ ଅପେକ୍ଷା କରିଥିଲା । ୧୯୭୫ ମସିହାରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା ସେତେବେଳେ ତାରାଙ୍କ ଜୀବନ ଆକାଶରେ ଉଇଁଥିଲା ଏକ ନୂତନ ସୂର୍ଯ୍ୟ ।
୧୯୭୫ ମସିହାରେ ବ୍ୟବସାୟରେ ପାଦ ଦେବାକୁ ତାରାଙ୍କୁ ପରାମର୍ଶ ଦେଇଥିଲେ ତାଙ୍କରି ଜଣେ ନିବିଡ଼ ବନ୍ଧୁ । ଗୋଟିଏ ମାଛଧରା ଟ୍ରଲର କିଣିବାକୁ ତାଙ୍କ ସାଙ୍ଗ ପରାମର୍ଶ ଦେଇଥିଲେ । ବ୍ୟବସାୟରେ ଲାଭକ୍ଷତିକୁ ଚିହ୍ନିନଥିବା ତାରା ସେଦିନ ସାଙ୍ଗଙ୍କ ଭରସାରେ ନୂଆ ଜୀବନ ଆରମ୍ଭ କରିଥିଲେ । ଉଭୟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ନେଇ ୩ରୁ ୪ଟି ଟ୍ରଲର କିଣିଥିଲେ । ଏଥିରେ ୧୦ ଜଣଙ୍କୁ ଚାକିରି ଦେଇ ଟ୍ରଲରରେ ମାଛ ଧରିବାକୁ ପଠାଉଥିଲେ । ହେଲେ ଆରମ୍ଭରୁ ସଫଳତା ବୋଧହୁଏ ତାରାଙ୍କ ଭାଗ୍ୟରେ ଲେଖାନଥିଲା । ଟ୍ରଲର ବ୍ୟବସାରେ କ୍ଷତି ସହିଥିଲେ ତାରାରଞ୍ଜନ । ହେଲେ ଏ କ୍ଷତି ତାଙ୍କ ସଫଳତାର ବାଟକୁ ପରିଷ୍କାର କରିଥିଲା । ଓକିଲ ସାଜିଥିବା ତାରା ବ୍ୟବସାୟରେ ପାଦ ଦେବାକୁ ସ୍ଥିର କରିସାରିଥିଲେ । ୧୯୭୮ ମସିହାରେ ତାରା ଆରମ୍ଭ କଲେ ଆଉ ଏକ ଅଧ୍ୟାୟ । ଏଥର ମତ୍ସ୍ୟଜୀବୀଙ୍କଠାରୁ ଚିଙ୍ଗୁଡ଼ି କିଣି ନିଜେ ବଡ଼ବଡ଼ ରପ୍ତାନୀକାରୀ କମ୍ପାନୀକୁ ଯୋଗାଇଲେ । ସେବେଠୁ ଦୀର୍ଘ ୭ବର୍ଷ ପର୍ଯ୍ୟନ୍ତ ଦେଶ ବିଦେଶର ବିଭିନ୍ନ ଏକ୍ସପୋର୍ଟ କମ୍ପାନୀକୁ ଚିଙ୍ଗୁଡ଼ି ଯୋଗାଇଲେ ତାରା । ଏହାପରେ ୧୯୮୫ ମସିହାରେ ପ୍ରତିଷ୍ଠା କଲେ ନିଜର ପରିଚୟ । ଯାହାର ନାଁ ରଖିଲେ ଫାଲକନ୍ ।
ଫାଲକନ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ସ୍ଥାପନ କଲେ ତାରାରଞ୍ଜନ ପଟ୍ଟନାୟକ । ଆକାଶରେ ଫାଲକନ ଭଳି ବ୍ୟବସାୟର ଆକାଶରେ ଢେର ଉଚ୍ଚରେ ଉଡ଼ିବାର ଆଶା ରଖି କମ୍ପାନୀର ନାଁ ଫାଲକନ ରଖିଥିଲେ ତାରା । ୧୯୮୭-୮୮ ମସିହାରେ କମ୍ପାନୀ ଆରମ୍ଭ କରିବା ବେଳକୁ ତାଙ୍କର ଟର୍ଣ୍ଣ ଓଭର ରହିଥିଲା ମାତ୍ର ୪.୬୬ କୋଟି ଟଙ୍କା । ପରେ ସେ ନିଜେ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା କରିବାକୁ ମନସ୍ଥ କରିଥିଲେ । ୧୯୯୩ରେ ଭୁବନେଶ୍ବର ମଞ୍ଚେଶ୍ବରରେ ୧୫ ଏକର ଜମିରେ ୨୦କୋଟି ଟଙ୍କା ବିନିଯୋଗରେ ପ୍ରୋସେସିଂ ୟୁନିଟ ସ୍ଥାପନ କରିଥିଲେ । ତା ପରବର୍ଷ ଅର୍ଥାତ ୧୯୯୪ରେ ପାରାଦୀପରେ ୧୪ ଏକର ଜମିରେ ଆଉ ଏକ ପ୍ରୋସେସିଂ ୟୁନିଟ ସ୍ଥାପନ କଲେ । ୧୯୯୦-୯୧ରେ ତାଙ୍କ କମ୍ପାନୀର ଟର୍ଣ୍ଣଓଭର ୧୨ କୋଟି ଟଙ୍କା ପାର କରିସାରିଥିଲା । ଏବଂ ବର୍ଷକୁ ୮୫୦ ଟନ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରୁଥିଲା । ୧୯୯୯ ମହାବାତ୍ୟା ପରେ ଛୋଟଛୋଟ ମତ୍ସ୍ୟଜୀବୀଙ୍କୁ ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଦେଇଥିଲା କମ୍ପାନୀ । ଫଳରେ କମ୍ପାନୀର ଲାଭ ହେବା ସହ ଚାଷୀମାନେ ମଧ୍ୟ ସଶକ୍ତ ହୋଇଥିଲେ । ୨୦୦୦-୨୦୦୧ ମସିହାରେ କମ୍ପାନୀର ଟର୍ଣ୍ଣଓଭର ୧୫୭ କୋଟି ଛୁଇଁଥିବାବେଳେ ୩୧୦୦ ଟନ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରୁଥିଲା ଫାଲକନ୍ ।
୨୦୦୬ରେ କମ୍ପାନୀ ଷ୍ଟିଲ୍ ବିଜନେସରେ ମନୋନିବେଶ କରିଛି । ଏବେ କମ୍ପାନୀ ବିଦେଶରେ ମଧ୍ୟ କାର୍ଯ୍ୟାଳୟ ଖୋଲିସାରିଥିବାବେଳେ ୩୦୦ ଏକର ଜମିରେ ନିଜ ବ୍ୟବସାୟ ଚଳାଇଛି । କମ୍ପାନୀର ଟର୍ଣ୍ଣଓଭର ୧୫୦୦ କୋଟି ଟଙ୍କା ପାର କରିଛି । ରିଅଲ ଇଷ୍ଟେଟ୍ ଏବଂ ଇସ୍ପାତ ଆଦି କ୍ଷେତ୍ରରେ ମଧ୍ୟ ଫାଲକଲ ସଫଳତା ପାଇଛି । ତାଙ୍କ କମ୍ପାନୀରେ ହଜାର ଜଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଦେଶର ସର୍ବୋଚ୍ଚ ମୂଲ୍ୟ ରପ୍ତାନିକାରୀ ହୋଇଥିବାରୁ ତାରା ରଂଜନଙ୍କୁ MPEDA ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ ପୁରସ୍କାର ପ୍ରଦାନ କରାଯାଇଛି । ଧନୀ ତାଲିକାର ଭାରତରେ ୫୭୨ତମ ସ୍ଥାନରେ ଅଛନ୍ତି ତାରା । ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ। ଆଗକୁ ମଧ୍ୟ ତାରାଙ୍କ ଜୀବନ ଆକାଶର ତାରା ଭଳି ଚମକୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।