ବର ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ
ବନ୍ଦ ଡାକରାରେ ବେଶି ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ। ବିଭିନ୍ନ ସ୍ଥାନରେ ବନ୍ଦ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଯୋଗୁ ଭୁବନେଶ୍ୱର ଜୟଦେବ ବିହାର ଛକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ ପାଇଁ ଗାଡ଼ିରେ ଆସୁଥିବା ବର ଅବଦ୍ଦୁଲ ଫାଇମ ଖାନଙ୍କୁ ବିକ୍ଷୋଭକାରୀ ଅଟକାଇ ଦେଇଛନ୍ତି। କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାପରେ ତାଙ୍କୁ ଛାଡ଼ିଥିଲେ।
ସୂଚନାଯୋଗ୍ୟ, ଆମେରିକା ସହ ଭାରତର ବହୁ ପ୍ରତୀକ୍ଷିତ ଟ୍ରେଡ୍ ଡିଲ୍ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନହେବାକୁ ଯାଉଛି। ଉଭୟ ପକ୍ଷ ଗତ ୮ ତାରିଖରେ ଏକ ମିଳିତ ଘୋଷଣାନାମାରେ ଏହାର ରୂପରେଖ ଜାରି କରିଛନ୍ତି। ଉକ୍ତ ବୁଝାମଣା ଦ୍ୱାରା ଭାରତୀୟ ବଜାରକୁ ପୁଞ୍ଜିନିବେଶର ସୁଅ ଛୁଟିବା ସହ ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି କେନ୍ଦ୍ର ଯୁକ୍ତି ବାଢୁଥିବାବେଳେ ଏହା ଏକ ଟ୍ରେଡ୍ ଡିଲ୍ ନୁହେଁ ବରଂ ଆମେରିକା ଚାପରେ ସରକାରଙ୍କ ଆତ୍ମସମର୍ପଣ ବୋଲି କୃଷକ ସଙ୍ଗଠନଗୁଡିକ ଅଭିହିତ କରିଛନ୍ତି।
ଏହି ଡିଲ୍ ଦ୍ୱାରା ଭାରତୀୟ ଚାଷୀ ଏବଂ ଶ୍ରମିକଙ୍କ ସ୍ବାର୍ଥକୁ ବଳି ପକାଯାଇଥିବା ଅଭିଯୋଗ ଆଣି କୃଷକ ସଙ୍ଗଠନ ଏବଂ ଟ୍ରେଡ୍ ୟୁନିୟନଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେବା ନେଇ ଘୋଷଣା କରିଥିବା ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନୈତିକ ସମର୍ଥନ ପ୍ରଦାନ ନେଇ ଘୋଷଣା କରାଯାଇଛି।
