ଅଲ୍ ଇଂଲଣ୍ଡ ଚାମ୍ପିୟନସିପ୍ରେ ଖେଳିବେ ନାହିଁ ପିଭି ସିନ୍ଧୁ
ଦୁଇ ଥରର ଅଲମ୍ପିକ ପଦକ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଗଲ୍ଫ ଦେଶରେ ଚାଲୁଥିବା ଯୁଦ୍ଧ ପରେ ବିମାନ କ୍ଷେତ୍ର ବନ୍ଦ କରାଯିବା କାରଣରୁ ବର୍ମିଂଘମରେ ଅଲ୍ ଇଂଲଣ୍ଡ ଚାମ୍ପିୟନସିପ୍ରେ ଖେଳି ପାରିବେ ନାହିଁ। ସେ ଦୁବାଇରୁ ସ୍ୱଦେଶ ଫେରି ଆସିଛନ୍ତି।
ସିନ୍ଧୁ ଇଂଲଣ୍ଡ ଯିବା ପାଇଁ ଉଡ଼ାଣ ନମିଳିବା କାରଣରୁ ଦୁବାଇରେ ଫସି ରହିଥିଲେ। ସେ ଏକ୍ସରେ ପୋଷ୍ଟ କରିଛନ୍ତି – ବେଙ୍ଗାଲୁରୁରେ ନିଜ ଘରକୁ ଫେରି ଆସିଛି ଏବଂ ସୁରକ୍ଷିତ ଅଛି। ଗତ କିଛି ଦିନ ଖୁବ୍ ଉତ୍ତେଜନା ଓ ଅନିଶ୍ଚିତକର ରହିଥିଲା। ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ଯେ, ନିଜର ଘରକୁ ସୁରକ୍ଷିତ ଫେରି ଆସିଛି।
ପିଭି ସିନ୍ଧୁ କହିଛନ୍ତି – ଦୁବାଇର ସୁନ୍ଦର ଗ୍ରାଉଣ୍ଡ ଟିମ୍ , ଦୁବାଇର ଅଧିକାରୀମାନେ , ବିମାନ ବନ୍ଦରର କର୍ମଚାରୀମାନେ , ଇମିଗ୍ରେସନ ଡିପାର୍ଟମେଣ୍ଟ ଏବଂ ସେହିସବୁ ଲୋକଙ୍କୁ ହୃଦୟରୁ କୃତଜ୍ଞତା , ଯିଏକି ଏହି ଅତ୍ୟନ୍ତ ମୁସ୍କିଲ ସମୟରେ ଆମର ଭଲଭାବେ ଦେଖାଶୁଣା କରିଛନ୍ତି। ତାଙ୍କର ସହାନୁଭୂତି ଓ ପେଶାଦାର ମନୋବୃତ୍ତିକୁ ଶବ୍ଦରେ ବ୍ୟକ୍ତ କରାଯାଇ ପାରିବ ନାହିଁ।
ସେ କହିଛନ୍ତି ,ବର୍ତ୍ତମାନ ଆରାମ କରିବାର ସମୟ , ନିଜକୁ ଟିରେ ଫ୍ରେଶ୍ କରିବା ଓ ଆଗାମୀ ପ୍ରତିଯୋଗିତା ବିଷୟରେ ଭାବିବାର ସମୟ ।
ପୂର୍ବତନ ବିଶ୍ୱ ଚାମ୍ପିୟନ ସିନ୍ଧୁ ଦୁବାଇ ମଧ୍ୟ ଦେଇ ବର୍ମିଂଘମ ଯାଉଥିଲେ , କିନ୍ତୁ ଆମେରିକା ଓ ଇସ୍ରାଏଲର ଇରାନ ଉପରେ କରାଯାଇ ଥିବା ଆକ୍ରମଣ ପରେ ଉପସାଗରୀୟ କ୍ଷେତ୍ରରେ ଉଡ଼ାଣ ପରିଚାଳନାକୁ ରୋକି ଦିଆ ଯାଇଥିଲା ,ଯେଉଁଥି ପାଇଁ ସେ ଦୁବାଇରେ ଫସି ରହି ଥିଲେ। ଇରାନ ଜବାବୀ କାର୍ଯ୍ୟାନୁଷ୍ଠାନ କରି ଦୁବାଇ ଉପରେ ମଧ୍ୟ ଆକ୍ରମଣ କରିଥିଲା । ସିନ୍ଧୁ କହିଛନ୍ତି ଯେ, ସେ ଓ ତାଙ୍କ ଟିମ୍ ପାଇଁ ଏହି ଅନୁଭବ ପୂରା ଭୟଙ୍କର ଥିଲା। ତାଙ୍କ ଟିମ୍ରେ ଇଣ୍ଡୋନେସିଆର ବାସିନ୍ଦା କୋଚ୍ ଇରୱାନସ୍ୟାହ ଆଦି ପ୍ରଥମା ମଧ୍ୟ ସାମିଲ ଥିଲେ।
ସିନ୍ଧୁଙ୍କୁ ତିନି ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଅଲ୍ ଇଂଲଣ୍ଡ ଓପେନ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ଭାଗ ନେବାର ଥିଲା ଏବଂସେ ଶନିବାର ଠାରୁ ନିଜର ଇଣ୍ଡୋନେସୀୟ କୋଚ୍ ଇରୱାନସ୍ୟାହ ଆଦି ପ୍ରଥମାଙ୍କ ସହ ଦୁବାଇରେ ଫସି ରହି ଥିଲେ।
