ରାଜ୍ୟ

ଛତୁଆ ବଦଳରେ ଛୁଆଙ୍କୁ ମିଳିବ ମାଣ୍ତିଆ

0
(0)

ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଆଜି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଛତୁଆର ମାନକୁ ନେଇ ସବୁବେଳେ ବିବାଦ ଏବଂ ନିକଟରେ ବିଧାନସଭାରେ ବି ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ମାଆ ଓ ଶିଶୁଙ୍କୁ ମିଳୁଥିବା ଛତୁଆର ମାନକୁ ନେଇ ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ଗଭୀର ଉଦବେଗ । ପୋଷଣ ମାସ ପାଳନ ବେଳେ ଅପପୁଷ୍ଟିର ଶିକାର ପିଲାଙ୍କ ପୋଷଣ ବୃଦ୍ଧି ପାଇଁ ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ପରାମର୍ଶ ।

ଆଜି ଭୁବନେଶ୍ୱରରେ ପୋଷଣ ମାସ ପାଳନର ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇ, ପିଲାଙ୍କ ଅପପୁଷ୍ଟି ଦୂର ପାଇଁ ବର୍ଷ ବର୍ଷ ଧରି ପ୍ରଚଳିତ ଛତୁଆ ବ୍ୟବସ୍ଥା ସମ୍ପର୍କରେ ଏମିତି କହିଛନ୍ତି ପ୍ରଭାତୀ । ସେ କହିଛନ୍ତି, ଏଣିକି ରାଜ୍ୟର ସବୁ ଜିଲ୍ଲାରେ ଶିଶୁ ଓ ମାଆମାନଙ୍କୁ ବାଧ୍ୟତାମୂଳକ ଭାବେ ଛତୁଆ ଦିଆ ନଯିବା ଉପରେ ବିଚାର କରାଯାଉଛି ।ଆଞ୍ଚଳିକତା ଭିତ୍ତିରେ ରୁଚିକର ଏବଂ ଉପଲବ୍ଧତା ଅନୁସାରେ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ଯେପରିକି ମିଲେଟ୍ ବା ମାଣ୍ଡିଆ, ବାଜରା ଭଳି ଖାଦ୍ୟଶସ୍ୟ ଦିଆଯାଇ ପାରିବ ବୋଲି କହିଛନ୍ତି ପ୍ରଭାତୀ । ଓଡ଼ିଶାରେ ଗର୍ଭବତୀ ମାଆ ଓ ଶିଶୁଙ୍କ ପୁଷ୍ଟି ସାଧନ ଉଦ୍ଦେଶ୍ୟରେ ପୂର୍ବ ସରକାର ଅମଳରୁ ବର୍ଷ ବର୍ଷ ଧରି ଚାଲି ଆସୁଛି ଛତୁଆ ଯୋଜନା ।କିନ୍ତୁ ଏ ଛତୁଆ ଯେ ବାସ୍ତବରେ ପିଲାଙ୍କ ପୁଷ୍ଟି ସାଧନ କରୁନାହିଁ, ତାକୁ ନେଇ ଅନେକ ସମୟରେ ବିବାଦ ଛିଡ଼ା ହୋଇଛି । ଛତୁଆର ଗୁଣ ଓ ମାନକୁ ନେଇ କେତେବେଳେ ବ୍ଲକ, ଜିଲ୍ଲା ତ ଆଉ କେତେବେଳେ ରାଜ୍ୟସ୍ତରରେ ହୋଇଛି ତୁମ୍ବି ତୋଫାନ । ଗତ ଅଗଷ୍ଟ ୩୧ ତାରିଖରେ ବିଧାନସଭାରେ ଛତୁଆର ମାନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ।ଏହାପରେ ଘଟଣାର ଯାଞ୍ଚ ପରେ ବିଧାନସଭାକୁ ତଦନ୍ତ ରିପୋର୍ଟ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ବେଳେ ଛତୁଆକୁ ନେଇ ସରକାର ଯେ, ନିନ୍ଦା ସହୁଛନ୍ତି, ସେ କଥା କହିବାକୁ ଭୁଲନଥିଲେ ପ୍ରଭାତୀ । ତା ସହ ରାଜ୍ୟରେ ଅପପୁଷ୍ଟି ଓ ରକ୍ତହୀନତାରେ ପୀଡ଼ିତ ଶିଶୁ ଓ ମାଆଙ୍କ ତଥ୍ୟ ରଖି ରାଜ୍ୟର ଉତ୍କଟ ସ୍ଥିତିକୁ ଦର୍ଶାଇଥିଲେ ଉପମୁଖ୍ୟମନ୍ତ୍ରୀ ।କହିଥିଲେ, ଓଡ଼ିଶାରେ ଏବେ ବି ୧୦ ଲକ୍ଷରୁ ଅଧିକ ଶିଶୁ ବାମନ, ୨୦ ଲକ୍ଷ ମାଆ ରକ୍ତହୀନତାର ଶିକାର ଏବଂ ୫ ଲକ୍ଷ ଶିଶୁ ଦୁର୍ବଳ ମାଂସପେଶୀ ଜନିତ ସମସ୍ୟାରେ ପୀଡ଼ିତ । ତେଣୁ ଆଗକୁ ରାଜ୍ୟକୁ କୁ-ପୋଷଣଠୁ ଦୂରେଇ ରଖିବାକୁ ମିଶନ ମୋଡରେ କାମ ପାଇଁ ବିଭାଗୀୟ ଅଧିକାରୀ ତଥା ଆଇସିଡିଏସ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply