ରାଜ୍ୟ

ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ବାଜିଲା

0
(0)

ଶ୍ରୀମନ୍ଦିର ପ୍ରଶାସନ ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନାହିଁ। ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଅଘଟଣ ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଭକ୍ତ ନିବାସରେ ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହେବା ସହ ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ବାଜିଛି।

 

 

ଆସନ୍ତା ଜୁନ୍ ୨୭ ତାରିଖରେ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୧୨ଟା ସୁଦ୍ଧା ସରିବ। ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ଶ୍ରୀମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ କରିବେ। ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ଜୁଲାଇ ୧ ତାରିଖ ହେରାପଞ୍ଚମୀରେ ରାତି ସାଢ଼େ ୯ଟାରେ ମହାଲକ୍ଷ୍ମୀ ରଥ ତଳ ନୀତି ସାରି ଜଗମୋହନକୁ ବିଜେ କରିବେ। ରାତି ୯ଟା ୩୫ରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଲାଗି ହେବାକୁ ସ୍ଥିର କରାଯାଇଛି।

 

ଜୁନ ୧୧ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାରେ ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ସାଢ଼େ ୩ଟାରେ ଛେରା ପହଁରା ଓ ଅପରାହ୍ଣ ସାଢ଼େ ୪ଟାର ହାତୀ ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣ ମେଲା ହେବ। ରାତି ୧୧ଟାରେ ହାତୀ ବେଶ ମଇଲମ ତଥା ଓଲାଗି ହେବ। ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ହେବ। ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁ ରେଖା ମଇଲମ ଅନୁଷ୍ଠିତ ହେବ।

 

ସ୍ନାନ ପୂର୍ଣ୍ଣିମାରେ ମଙ୍ଗଳାର୍ପଣ ସମୟରେ କେବଳ ନୀତି ସମ୍ପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକୃତ ଅଧିକାରୀମାନେ ଭିତର କାଠ ନିକଟରେ ଉପସ୍ଥିତ ରହିବେ। ସାତ ପାହାଚ ଉପରେ ଟାହିଆ ବନ୍ଧା ଯିବା ପରେ ବିଜେଡ଼ୋରି ବନ୍ଧାଯିବ। ସମ୍ପୃକ୍ତ ବାଡ଼ଗ୍ରାହୀମାନେ ପ୍ରତ୍ୟକ୍ଷଭାବେ କିମ୍ବା ତାଙ୍କ ପ୍ରତିନିଧିଙ୍କ ଜରିଆରେ ପହଣ୍ଡି ପାଇଁ ଦିଗ୍‌ଦର୍ଶନ ଦେବେ ଓ ଟାହିଆ ସୁରକ୍ଷିତ ରହିବା ନିଶ୍ଚିତ କରିବେ।

 

 

ଶ୍ରୀଜୀଉ ସ୍ନାନବେଦୀକୁ ଉଠିବା ପରେ ସମ୍ମାନର ସହ ଟାହିଆ ଖୋଲାଯିବ। ଧାଡ଼ି ପହଣ୍ଡିରେ ଆସିବା ବେଳେ କୌଣସି ପ୍ରକାରର ନୃତ୍ୟକୁ ସ୍ବୀକୃତି ଦିଆଯିବ ନାହିଁ। ସ୍ନାନମଣ୍ଡପକୁ ଶ୍ରୀଜୀଉ ବିଜେ କଲାବେଳେ ପହଣ୍ଡି ଦର୍ଶନ କରିବାକୁ ୧୫୦ ଟଙ୍କା ଟିକେଟ୍‌ ବ୍ୟବସ୍ଥା କରାଯାଇଛି। ୫ ହଜାର ଭକ୍ତ ଏହି ସୁବିଧା ନେଇ ପାରିବେ। ବଡଦାଣ୍ଡ ଭକ୍ତ ନିବାସରେ ଏହି ଟିକେଟ୍‌ ଉପଲବ୍ଧ ହେବ। ସ୍ନାନଯାତ୍ରା ସମୟରେ ସୀମିତ ସଂଖ୍ୟକ ଘଣ୍ଟୁଆକୁ ମଣ୍ଡପ ଉପରକୁ ଛଡ଼ାଯିବ। ଅନ୍ୟ ଘଣ୍ଟୁଆମାନେ ପାହାଚ ତଳେ ରହି ସମତାଳରେ ଘଣ୍ଟ ବଜାଇବେ। ଠାକୁରଙ୍କ ସାମନାରେ କୌଣସି ସେବାୟତ ରହିବେ ନାହିଁ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE