ରାଜ୍ୟ

ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
(0)

ଢେଙ୍କାନାଳରେ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ରଥଯାତ୍ରା ଆସନ୍ତା ମାସ ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ ପୁରୋଧାଙ୍କ ସମୟ ନିର୍ଘଣ୍ଟ ଅନୁଯାୟୀ ସମୟାନୁବର୍ତ୍ତିତା ପ୍ରତି ଧ୍ୟାନଦେଇ ରଥଯାତ୍ରାକୁ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ କାଟ ଓ ସଂଯୋଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ଗୁରୁତ୍ଵାରୋପ କରିଥିଲେ । ମହିଳା ରଥ ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରା ସମୟରେ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ବିଭୂଧ ଗଡ଼ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ରଥଯାତ୍ରା କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୂଙ୍କ ନୀତିକାନ୍ତୀ ପରେ ଦିବା ଘ. ୧.୦୫ ମି. ସମୟରେ ପ୍ରଥମ ରଥଟଣା ହୋଇ ଅପରାହ୍ନ ଘ. ୨.୦୫ ମି. ସମୟରେ ମାହେନ୍ଦ୍ର ବେଳା ମଧ୍ୟେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହେବ ଓ ସଂଧ୍ୟା ଘ. ୬.୨୪ ମି. ସୂର୍ଯ୍ୟାସ୍ତ କାଳରେ ରଥଟଣା ଶେଷ ହେବ ବୋଲି ଅବଗତ କରାଇଥିଲେ । ରଥ ନିର୍ମାଣ କାର୍ଯ୍ୟ ଓ ସାଜସଜ୍ଜା, ଶାନ୍ତିଶୃଙ୍ଖଳା ରକ୍ଷା, ରାସ୍ତାରୁ ଗାଈଗୋରୁ ହଟାଇବା ଓ ଯାନବାହନ ନିଯନ୍ତ୍ରଣ ନିମନ୍ତେ ଆରକ୍ଷୀ ବାହିନୀ ଓ ସ୍ଵେଚ୍ଛାସେବୀ ମୁତୟନ, ଟ୍ୟାଙ୍କର ଓ ସିନ୍ଟେକ୍ସ ଦ୍ୱାରା ପାନୀୟଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା ରକ୍ଷା, ଆଲୋକସଜ୍ଜା, ଜଗନ୍ନାଥ ସଂସ୍କୃତି ସଂପର୍କରେ ଧାରା ବିବରଣୀ ପ୍ରଦାନ, ସୁନା ବେଶ ଆୟୋଜନ ଆଦି ସଂପର୍କରେ ବୈଠକରେ ବିଷଦ ଆଲୋଚ଼ନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ, ସହରର ବୁଦ୍ଧିଜୀବି, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସଂପୃକ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନିମନ୍ତେ ମତାମତ ପ୍ରଦାନ କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE