ବାଣିଜ୍ୟ

ବେଖାତିର ଭାବେ ଚାଲିଛି ରିଅଲ ଇଷ୍ଟେଟ କାରବାର

0
(0)

ରିଅଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ କେନ୍ଦ୍ରୀୟ ଆଇନ ରେରା ଆସିବା ପରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଏହାକୁ ଅନୁପାଳନ କରିଥିଲା । ଆପାର୍ଟମେଣ୍ଟ ହେଉ କି ପ୍ଲଟିଂ ସ୍କିମରୁ ପ୍ଲଟ ବିକ୍ରି କରିବାକୁ ଡେଭଲପରମାନଙ୍କ ପାଇଁ ପ୍ରଥମ ସର୍ତ୍ତ, ପ୍ରକଳ୍ପ ରେରାରେ ପଞ୍ଜୀକରଣ ହୋଇଥିବା ଦରକାର । ପଞ୍ଜୀକରଣ ପୂର୍ବରୁ ପ୍ରକଳ୍ପ ବାବଦରେ ବିଜ୍ଞାପନ ଦେବା, କ୍ରେତାଙ୍କଠାରୁ ଅଗ୍ରୀମ ନେବା ବେଆଇନ । ହେଲେ ଏହାକୁ ବିଲଡରମାନେ ମାନୁନାହାନ୍ତି । ରେରା ନଜରକୁ ଆସିଥିବା ଏପରି ୬୦ଟି ବେଆଇନ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠିବା ପରେ ଜରିମାନା ଧାର୍ଯ୍ୟ ହୋଇଥିଲା । ୬ କୋଟି ୮୯ ଲକ୍ଷ ଜରିମାନା ରେରା କରିଥିଲେ ମଧ୍ୟ ଆଦାୟ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଠକ ବିଲଡରମାନେ ରେରା ଆଇନକୁ ଫାଙ୍କି କ୍ରେତାମାନଙ୍କୁ ଠକି ଚାଲିଛନ୍ତି ।

ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ପ୍ଲଟ କିଣିବା ପାଇଁ କ୍ରେତାଙ୍କ ଅହେତୁକ ଆଗ୍ରହ ରହିଛି । ଏହାର ସୁଯୋଗ ନେଇ କ୍ରେତାଙ୍କୁ ଲୋଭନୀୟ ଅଫର ଦେଇ ଠକି ଚାଲିଛନ୍ତି କିଛି ବିଲଡର । ପ୍ଲଟିଂ ସ୍କିମ ବେପାର ପାଇଁ ପ୍ରଥମ ସର୍ତ୍ତ ପ୍ରକଳ୍ପଟି ରିଅଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ପାଖରେ ପଞ୍ଜୀକୃତ ହେବା ଆବଶ୍ୟକ । ହେଲେ ଆମେ ଏପରି ୬୦ଟି ବେଆଇନ ପ୍ରକଳ୍ପ କଥା କହୁଛୁ, ଯାହା ରେରା ପାଖରେ ପଞ୍ଜୀକୃତ ହୋଇନାହିଁ । ବିଭିନ୍ନ ଆଡୁ ଅଭିଯୋଗ ଆସିବା ପରେ ରେରା କର୍ତ୍ତୃପକ୍ଷ ଏହାର ବିକ୍ରି ଉପରେ ରୋକ୍ ଲଗାଇଥିବା ବେଳେ ଏମାନଙ୍କ ଉପରେ ଜରିମାନା କରିଛନ୍ତି । ୬୦ ବିଲଡ଼ରଙ୍କ ଉପରେ ୬ କୋଟି ୮୯ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିଲେ ବି ୨ ବର୍ଷ ଭିତରେ ଆଦାୟ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ଜରିମାନା ତ ଦେଉନାହାନ୍ତି ବରଂ କ୍ରେତାମାନଙ୍କୁ ଏହି ବେଆଇନ ପ୍ରକଳ୍ପର ମିଛ ପ୍ରଲୋଭନ ଦେଖାଇ ବିକି ଚାଲିଛନ୍ତି ।

ରେରା ଆଇନ ଅନୁସାରେ ପଞ୍ଜୀକୃତ ହୋଇ ନଥିବା ମାଳ ମାଳ ପ୍ରକଳ୍ପର ବିଜ୍ଞାପନ ଘୁରି ବୁଲୁଛି ସୋସିଆଲ ମିଡ଼ିଆରେ । ଲୋଭନୀୟ ବିଜ୍ଞାପନ ଦେଖି ରାଜଧାନୀ ଓ ଏହାର ଉପକଣ୍ଠରେ ପ୍ଲଟ ଖଣ୍ଡିଏ କିଣିବା ପାଇଁ ଗ୍ରାହକଙ୍କ ପ୍ରବଳ ଭିଡ଼ । ହେଲେ ଏହି ପ୍ରକଳ୍ପ ଆଇନ ସମ୍ମତ କି ନୁହେଁ, ତାହା ଜାଣିବା ପାଇଁ ଯେପରି କାହା ପାଖରେ ସମୟ ନାହିଁ । ଏହାର ଫାଇଦା ନେଉଛନ୍ତି ଠକ ବିଲଡ଼ର । ରେରା ୬୦ଟି ବେଆଇନ ପ୍ରକଳ୍ପ ଉପରେ ୬ କୋଟି ୮୯ ଲକ୍ଷ ଟଙ୍କା ଜରିମାନା କରିଥିବା ବେଳେ ଅର୍ଥ ଆଦାୟ କରିବାର ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ । ସବୁ ଜାଣିଶୁଣି ଏପରି ବେଆଇନ ପ୍ରକଳ୍ପରୁ କ୍ରେତାଙ୍କୁ ରକ୍ଷା କରିବାର ଦାୟିତ୍ବ ସବ୍-ରେଜିଷ୍ଟ୍ରାରଙ୍କ ପାଖରେ ଥିଲେ ମଧ୍ୟ ସେମାନେ ଏହାକୁ ଆଖି ବୁଜି ଦେଇ କବଲା ପଞ୍ଜୀକୃତ କରୁଛନ୍ତି । କିଛି ନବୁଝି ଜାଗା କିଣିବା ଚକ୍କରରେ କ୍ରେତାମାନେ ଦଲିଲ କରିବା ପରେ ପସ୍ତଉଛନ୍ତି । ଗ୍ରାହକ ସୁରକ୍ଷା ଦାୟିତ୍ବରେ ଥିବା ରାଜସ୍ବ ଅଧିକାରୀ ବି ନିଜ ପକେଟ ଗରମ କରିବାକୁ ଯାଇ ଦଲିଲ ପଞ୍ଜୀକରଣ କରୁଛନ୍ତି ।

ଜରିମାନା ହୋଇଥିବା ୬୦ ଜଣ ବିଲଡ଼ରଙ୍କ ମଧ୍ୟରୁ ମାତ୍ର ୩ ଜଣ ଜରିମାନା ଅର୍ଥ ପଇଠ କରିଥିବା ବେଳେ ୫୭ ଜଣ ଏହାକୁ ଫାଙ୍କି ଚାଲିଛନ୍ତି । ସର୍ବାଧିକ ୫୦ ଲକ୍ଷ ଟଙ୍କା ଜରିମାନା ହୋଇଥିବା ବେଳେ ସର୍ବନିମ୍ନ ରାଶି ୫୦ ହଜାର ଟଙ୍କା । କେବଳ ଜରିମାନା ନିର୍ଦ୍ଦେଶ ଦେଇ ରେରା କର୍ତ୍ତୃପକ୍ଷ ଚୁପ୍ ବସିଥିବା ବେଳେ ଗ୍ରାହକମାନେ ଏବେ କମଦାମ ଓ ସୁବିଧାରେ ପ୍ଲଟ କିଣିବା ଚକ୍କରରେ ମହରଗରୁ ଯାଇ କାନ୍ତାରରେ ପଡ଼ିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply