ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜଣଙ୍କ ଜୀବନ
ପ୍ରତିଦିନ ଘଟୁଛି ୩୧ଟି ସଡ଼କ ଦୁର୍ଘଟଣା । ଆଉ ଆହତ ହେଉଛନ୍ତି ହାରାହାରି ୨୭ ଜଣ । ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତରରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ ।ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା । ଦିନକୁ ଦିନ ବଢ଼ିଚାଲିଛି ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା । ପ୍ରତି ୪ ଘଣ୍ଟାରେ ରାଜ୍ୟରେ ଘଟୁଛି ହାରାହାରି ୫ ସଡ଼କ ଦୁର୍ଘଟଣା । ଏହି କାରଣରୁ ପ୍ରତି ଘଣ୍ଟାରେ ପ୍ରାୟ ଜଣେ ଲେଖାଏଁ ଆହତ ହେଉଛନ୍ତି । ଆଉ ପ୍ରତି ୫ ଘଣ୍ଟାରେ ଚାଲିଯାଉଛି ହାରାହାରି ୩ ଜୀବନ ।
ସଡ଼କ ଦୁର୍ଘଟଣା ନେଇ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ଲିଖିତ ଉତ୍ତର ବିଶ୍ଳେଷଣରୁ ମିଳିଛି ଏମିତି ଉଦ୍ବେଗଜନକ ତଥ୍ୟ । ଗତ ୫ ବର୍ଷ ହେଲା, ରାଜ୍ୟରେ ବାର୍ଷିକ ହାରାହାରି ୧୧ ହଜାର ୩୬୬ଟି ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ବର୍ଷକୁ ପ୍ରାୟ ୧୦ ହଜାର ୮ ଜଣ ଆହତ ହେଉଛନ୍ତି । ଆଉ ପ୍ରାଣ ହରାଉଛନ୍ତି ହାରାହାରି ୫ ହଜାର ୪୩୩ ଜଣ ।
