ବିସିସିଆଇ ସିଲେକ୍ସନ ପ୍ୟାନେଲରେ ପ୍ରଜ୍ଞାନ ଓଝା ଏବଂ ଆରପି ସିଂହଙ୍କୁ ଗୁରୁଦାୟିତ୍ବ
ବିସିସିଆଇକୁ ମିଳିଛି ନୂଆ ବସ୍ । ରୋଜର ବିନ୍ନିଙ୍କ ସ୍ଥାନ ନେଇଛନ୍ତି ମିଥୁନ ମନହାସ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ତାଙ୍କୁ ସଭାପତି ଭାବେ ଚୟନ କରିଛି । ଏହା ସହିତ ବିସିସିଆଇ ଚୟନ କମିଟିରେ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର ପ୍ରଜ୍ଞାନ ଓଝା ଏବଂ ଆରପି ସିଂହଙ୍କୁ ସିଲେକ୍ସନ ପ୍ୟାନେଲରେ ସାମିଲ୍ କରାଯାଇଛି । ଚିଫ୍ ସିଲେକ୍ଟର ଅଜିତ୍ ଅଗରକର ବର୍ତ୍ତମାନ ଏହି ଦୁଇ ବରିଷ୍ଠ ପୂର୍ବତନ ଖେଳାଳିଙ୍କ ସହିତ ଭାରତୀୟ ଦଳ ଚୟନ କରିବେ । ସେହିପରି ମହିଳା ଟିମ୍ ଚୟନ କମିଟିରେ ଦିଲ୍ଲୀର ଅମିତା ଶର୍ମାଙ୍କୁ ନିଯୁକ୍ତି ମିଳିଛି ।
କିଛି ଦିନ ପୂର୍ବରୁ ବିସିସିଆଇ ସିନିୟର ଟିମ୍ ପାଇଁ ଦୁଇ ଜଣ ନୂଆ ସିଲେକ୍ଟର୍ସ ଚୟନ ପାଇଁ ବିଜ୍ଞପ୍ତି ବାହାର କରିଥିଲା । ଏଥିପାଇଁ ପୂର୍ବତନ ଦିଗଜ ଖେଳାଳି ପ୍ରଜ୍ଞାନ ଓଝା ଏବଂ ରୁଦ୍ର ପ୍ରତାପ ସିଂହ ଆବେଦନ କରିଥିଲେ । ରବିବାର ବିସିସିଆଇ ଆବେଦନ ପତ୍ରକୁ ଗ୍ରହଣ କରି ସେମାନଙ୍କୁ ଚୟନ କମିଟିରେ ବିଧିବଦ୍ଧ ଭାବେ ସାମିଲ୍ କରିଛି । ଏହାଛଡ଼ା ମହିଳା କ୍ରିକେଟ୍ ଚୟନ କମିଟିରେ ଅମିତା ଶର୍ମାଙ୍କୁ ନୂଆ ଚେୟାର ପର୍ସନ ଭାବେ ସାମିଲ୍ କରିଯାଇଛି । ସେହିପରି ମହିଳା ସୁଲକ୍ଷଣା ନାୟକ, ଶ୍ରୀବନତି ନାୟଡୁ, ଶ୍ୟାମା ଡେ ଏବଂ ଜୟା ଶର୍ମାଙ୍କୁ ବିସିସିଆଇ ମହିଳା ଚୟନ କମିଟିରେ ସାମିଲ୍ କରାଯାଇଛି । ସେହିଭଳି ଜୁନିୟର ସିଲେକ୍ସନ ପ୍ୟାନେଲରେ ଏସ ଶରଥଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିଛି ।
ଶିବ ସୁନ୍ଦର ଦାସଙ୍କ ପରେ ପ୍ରଜ୍ଞାନ ଓଝା ଦ୍ବିତୀୟ ବ୍ୟକ୍ତି ଯିଏ ବିସିସିଆଇ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ପ୍ରଥମେ ପୂର୍ବତନ କ୍ରିକେଟର ଶିବ ସୁନ୍ଦର ଦାସଙ୍କୁ ସିଲେକ୍ସନ କମିଟିରେ ସାମିଲ୍ କରାଯାଇଥିଲା । ଏବେ ଏହି ସୁଯୋଗ ପ୍ରଜ୍ଞାନଙ୍କୁ ମିଳିଛି । ପ୍ରଜ୍ଞାନ ଓଝା ଇଣ୍ଟର ନ୍ୟାସନାଲ କ୍ରିକେଟରୁ ୨୦୨୦ ଫେବ୍ରୁଆରୀ ମାସରେ ଅବସର ଘୋଷଣା କରିଥିଲେ । ଏହି ଓଡ଼ିଆ କ୍ରିକେଟର ୨୦୦୯ରେ ଏମସ ଧୋନିଙ୍କ ସମୟରେ ଟି-୨୦ରେ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଥିଲେ । ସେ ଭାରତ ପାଇଁ ୬ ଟି-୨୦, ୧୮ ଦିନିକିଆ, ୨୪ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ରେଡ୍ ବଲ୍ କ୍ରିକେଟରେ ୧୧୩ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଦିନିକିଆରେ ୨୧ଟି ଏବଂ ଟି-୨୦ରେ ମାତ୍ର ୧୦ଟି ଓ୍ବିକେଟ୍ ନେଇବାରେ ସକ୍ଷମ ହୋଇଛନ୍ତି । ଇଣ୍ଡିଆ ପ୍ରିମିୟର ଲିଗରେ ଚମତ୍କାର ବୋଲିଂ କରି ୯୨ଟି ମ୍ୟାଚରେ ୮୯ ଓ୍ବିକେଟ୍ ହାସଲ କରିଛନ୍ତି । ଶେଷ ଥର ପାଇଁ ଭେଟେରା ସଚିନ୍ ତେନ୍ଦୁଲକରଙ୍କ ବିଦାୟୀ ମ୍ୟାଚରେ ଇଣ୍ଟର ନ୍ୟାସନାଲ ଖେଳିଥିଲେ ।
