ମିସେସ୍ ଇଣ୍ଡିଆ ମୁକୁଟ ଜିତିଲେ ସଙ୍ଗୀତା
ଦୁବାଇରେ ଆୟୋଜିତ ‘ମିସେସ୍ ଇଣ୍ଡିଆ ୱାଲ୍ଡୱାଇଡ୍-୨୦୨୫’ ପ୍ରତିଯୋଗିତାରେ ଭୁବନେଶ୍ଵରର ମହିଳା ସଙ୍ଗୀତା ନାୟକ ବାଜିମାତ କରିଛନ୍ତି । ସାରା ବିଶ୍ବରୁ ଭାଗନେଇଥିବା ୭୪ଜଣ ଭାରତୀୟ ବଂଶୋଦ୍ଭବ ମହିଳା ପ୍ରତିଯୋଗୀଙ୍କୁ ପଛରେ ପକାଇ ସଙ୍ଗୀତା ‘ମିସେସ୍ ଇଣ୍ଡିଆ’ ମୁକୁଟ ହାସଲ କରିଛନ୍ତି। ଏହି ସଫଳତା ପରେ ତାଙ୍କ ଶୁଭେଚ୍ଛୁ ଓ ପରିବାର ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।
କେବଳ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ଉଦ୍ଦେଶ୍ୟରେ ପ୍ରତି ବର୍ଷ ଦୁବାଇରେ ଏହି ଆନ୍ତର୍ଜାତିକସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଚଳିତବର୍ଷ ମଧ୍ୟ ଏହା ହୋଇଥିଲା। ପ୍ରତିଯୋଗିତା ପାଇଁ ବିଶ୍ଵର ବିଭିନ୍ନ ଦେଶରୁ ୩ଶହରୁ ଅଧିକ ଭାରତୀୟ ବଂଶୋଦ୍ଭବ ମହିଳା ପଞ୍ଜୀକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ କେବଳ ୭୪ଜଣ ମନୋନୀତ ହୋଇଥିଲେ।

ବିଭିନ୍ନ ସମୟରେ ଜ୍ୟାମ୍ପ ଓ୍ବାକ୍ ସହ ଅନ୍ୟାନ୍ୟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଟପ-୨୫, ଟପ-୨୦, ଟପ୍-୧୫, ଟପ-୧୦ ଓ ଟପ -୫ରେ ସଙ୍ଗୀତା ନିଜର ସ୍ଥାନ ପକ୍କା କରିଥିଲେ। ଗତ ୨୦ ତାରିଖରେ ଆୟୋଜିତ ଫାଇନାଲରେ ସଙ୍ଗୀତାଙ୍କୁ ଆୟୋଜକ ବିଜୟିନୀ ଘୋଷଣା କରିଥିଲା। ଏହାପରେ ସଙ୍ଗୀତା ଖୁ ସିରେ କାନ୍ଦି ପକାଇଥିଲେ। ଏହି ସମୟରେ ତାଙ୍କ ସହ ସ୍ବାମୀ ମଧୁସୂଦନ ନାୟକ ଓ ପୁଅ ଅମିତ ଏବଂ ଅନିଶ୍ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ସଙ୍ଗୀତା ଜଣେ ଇଣ୍ଟରିଅର ଡିଜାଇନର ଭାବେ କାର୍ଯ୍ୟରତ ଅଛନ୍ତି। ଆଗକୁ ସେ ଗ୍ଲାମର୍ ଦୁନିଆରେ ସକ୍ରିୟ ରହିବା ସହ ମହିଳା ସଶକ୍ତିକରଣ ପାଇଁ ମଧ୍ୟ କାମ କରିବେ।
