ବାହାଘର ପୂର୍ବରୁ ଗଲା ସେନାଙ୍କ ଜୀବନ
ଛତିଶଗଡ଼-ମଧ୍ୟପ୍ରଦେଶ ସୀମାନ୍ତରେ ନକ୍ସଲମାନଙ୍କ ସହ ଏକ ଏନକାଉଣ୍ଟରରେ ମଧ୍ୟପ୍ରଦେଶ ପୋଲିସ ଇନ୍ସପେକ୍ଟର ଆଶିଷ ଶର୍ମା ସହିଦ ହୋଇଯାଇଛନ୍ତି । ହକ୍ ଫୋର୍ସର ବାଲାଘାଟ ୟୁନିଟ୍ର ଇନ୍ସପେକ୍ଟର ଆଶିଷ ଶର୍ମା ନରସିଂହପୁର ବୋହାନି ଗାଁର ବାସିନ୍ଦା ଥିଲେ । ଆଶିଷ ଜାନୁଆରୀରେ ମାସରେ ବାହା ହୋଇଥାନ୍ତେ । ପରିବାର ଲୋକେ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ସବୁ ଖୁସି ପାଣି ଫୋଟକା ପରି ମିଳେଇ ଗଲା । ମାସ ପରେ ପୁଅର ବିବାହ ହୋଇଥାନ୍ତା । ବୋହୂକୁ କେମିତି ସ୍ୱାଗତ କରିଥାନ୍ତେ ସେଇ କଥା ଭାବୁଥିଲେ ସହିଦ ଆଶିଷଙ୍କ ମା’ । କିନ୍ତୁ ଏବେ ପୁଅକୁ ହରାଇ ଖାଲି ଲୁହ ଗଡ଼ାଉଛନ୍ତି ।
ସହିଦ ଇନ୍ସପେକ୍ଟର ୨୯ ବର୍ଷିୟ ଆଶିଷ ଶର୍ମାଙ୍କ ବାପା ଦେବେନ୍ଦ୍ର ଶର୍ମା ଜଣେ ଚାଷୀ ଭାବେ କାମ କରୁଥିବାବେଳେ ତାଙ୍କ ମା’ ଶର୍ମିଳା ଶର୍ମା ଜଣେ ଗୃହିଣୀ ଭାବେ ଘର କାମ କରନ୍ତି । ତାଙ୍କ ସାନ ଭାଇ ଅଙ୍କିତ ଶର୍ମା ପାଠ ପଢ଼ୁଛନ୍ତି । ୨୦୧୬ ରେ ସବ-ଇନ୍ସପେକ୍ଟର ଭାବରେ SAFରେ ଯୋଗ ଦେଇଥିବା ଆଶିଷ ୨୦୧୮ରେ ହକ୍ ଫୋର୍ସରେ ଯୋଗ ଦେଇଥିଲେ ଏବଂ ନକ୍ସଲମାନଙ୍କ ବିରୁଦ୍ଧରେ ଅନେକ ସଫଳ ଅପରେସନର ନେତୃତ୍ୱ ନେଇଥିଲେ ।
୨୦୨୨ ମସିହାରେ ବାଲାଘାଟର ହରାଟୋଲା ଜଙ୍ଗଲରେ ମାଓବାଦୀ ରୂପେଶର ଏନକାଉଣ୍ଟରର ନେତୃତ୍ୱ ନେଇଥିଲେ ଆଶିଷ । ଏଥିପାଇଁ ତାଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ସେ ୨୦୨୩ ମସିହାରେ କୁଖ୍ୟାତ ମହିଳା ନକ୍ସଲ ସରିତା ଏବଂ ସୁନୀତାଙ୍କୁ ଏନକାଉଣ୍ଟର କରିବାର ଗୌରବ ଅର୍ଜନ କରିଥିଲେ । ଚଳିତ ବର୍ଷ ଫେବୃଆରୀରେ ତିନି ଜଣ ମହିଳା ନକ୍ସଲଙ୍କୁ ଏନକାଉଣ୍ଟର କରିବା ପରେ ଆଶିଷଙ୍କୁ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ଦିଆଯାଇଥିଲା ।
ସୂଚନା ଥାଉ କି ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ଼ ଜୋନରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଉଭୟ ରାଜ୍ୟର ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା । ଏଥିରେ ସାମିଲ ଥିଲେ ଆଶିଷ । ଛତିଶଗଡ଼ର କନ୍ଧୁରା ଜଙ୍ଗଲରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଗୁଳି ବିନିମୟରେ ମଧ୍ୟପ୍ରଦେଶ ପୋଲିସର ହକ୍ ଫୋର୍ସର ଇନ୍ସପେକ୍ଟର ଆଶିଷ ଶର୍ମା ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଛତିଶଗଡ଼ର ଡୋଙ୍ଗରଗଡ଼କୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ଆଶିଷ ।
