ଘରେ ଘରେ ଲାଗିବ ହାଲୁକା ପ୍ଲାଷ୍ଟିକ୍ LPG ସିଲିଣ୍ଡର
ସିଲିଣ୍ଡର କହିବା ମାତ୍ରେ, ଆଖି ଆଗକୁ ଆସେ ଲାଲ୍ ରଙ୍ଗ । ବର୍ଷ ବର୍ଷ ଧରି ଭାରତୀୟଙ୍କ ରୋଷେଇ ଘରେ ଗୁରୁତ୍ୱ ବହନ କରୁଥିଲା ଲୁହାରେ ତିଆରି ଲାଲ ରଙ୍ଗର ଏଲପିଜି ସିଲିଣ୍ଡର । କିନ୍ତୁ, ଏହି ଲାଲ ଏଲପିଜି ସିଲିଣ୍ଡରରେ କଳଙ୍କି ଲାଗିବା ଏବଂ ଲିକେଜ୍ ହେବା ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିଲା । ଅଗ୍ନିକାଣ୍ଡ ଘଟିଲେ ଉଚ୍ଚ ଆଭ୍ୟନ୍ତରୀଣ ଚାପ ଯୋଗୁଁ ଲୁହା ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ ଘରେ । କିନ୍ତୁ ଏବେ ଆଉ ଭୟ ନାହିଁ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଗୋଆରେ ଆନୁଷ୍ଠାନିକ ଭାବେ ଏକ ନୂଆ ସିଲିଣ୍ଡର ଲଞ୍ଚ କରିଛନ୍ତି । ଯାହା HDPରେ ତିଆରି ଏକ ସିଲିଣ୍ଡର ଓ ଏହା ଖୁବ୍ ଶୀଘ୍ର ଭାରତୀୟଙ୍କ ରୋଷେଇ ଘରେ ଲାଲ ଏଲପିଜି ସିଲିଣ୍ଡରର ସ୍ଥାନ ନେବ ।
ଏହି ସିଲିଣ୍ଡରଟି ଭାରତ ପେଟ୍ରୋଲିୟମ ଦ୍ୱାରା ଲଞ୍ଚ କରାଯାଇଛି । ସିଲିଣ୍ଡର ବିଷୟରେ କହିବାକୁ ଗଲେ, ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବ୍ୟବସାୟ ମୁଖ୍ୟ ଟିଭି ପାଣ୍ଡିଆନ କହିଛନ୍ତି ଯେ, ଏହି ନୂଆ ହାଲୁକା ସିଲିଣ୍ଡରଟି HDP ଏବଂ ଫାଇବ୍ରଏଡ୍ କମ୍ପୋଜିଟ୍ ସାମଗ୍ରୀରେ ତିଆରି । ଯେଉଁଥିରେ ଏଲପିଜି ଭିତରେ ସଂରକ୍ଷଣ କରାଯାଇଛି । ପାର୍ଥକ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ଏକ ଧାତୁ ସିଲିଣ୍ଡର ମୂଳତଃ ୧୪.୨ କିଲୋଗ୍ରାମ ଏଲପିଜି ବହନ କରେ ଏବଂ ସିଲିଣ୍ଡରର ଓଜନ ୧୭ କିଲୋଗ୍ରାମ । ତେଣୁ ଲାଲ ଏଲପିଜି ସିଲିଣ୍ଡରର ଓଜନ ପ୍ରାୟ ୩୦ ରୁ ୩୩ କିଲୋଗ୍ରାମ । “ଭାରତ ଗ୍ୟାସ୍ ଲାଇଟ୍ ସିଲିଣ୍ଡରର ଓଜନ ମାତ୍ର ୫.୯ କିଲୋଗ୍ରାମ ଏବଂ ଏହା ୧୦ କିଲୋଗ୍ରାମ ବହନ କରେ, ତେଣୁ ମୋଟ ଓଜନ ୩୩ କିଲୋଗ୍ରାମ ତୁଳନାରେ ମାତ୍ର ୧୫.୯ କିଲୋଗ୍ରାମ । ଏହା ଲାଲ ଏଲପିଜିରେ ଥିବା ଓଜନ ଅପେକ୍ଷା ପ୍ରାୟ ୫୦% କମ୍ । ଡେଲିଭରି ବଏମାନେ ମଧ୍ୟ ପ୍ରାୟ ୩୦ କିଲୋଗ୍ରାମ କିମ୍ବା କାନ୍ଧରେ ୩୩ କିଲୋଗ୍ରାମ ବହନ କରନ୍ତି, କିନ୍ତୁ ଏହା ବହନ କରିବା ବହୁତ ସହଜ,” ବୋଲି ସେ କହିଥିଲେ ।
ଲୁହା ଏଲପିଜି ସିଲିଣ୍ଡରର ମୁଖ୍ୟ ସମସ୍ୟା ହେଉଛି କଳଙ୍କି ଲାଗିବା । ଅନ୍ୟପଟେ HPD ଲାଇଟ୍ ସିଲିଣ୍ଡର କଳଙ୍କିମୁକ୍ତ । ଏହି ନୂଆ ସିଲିଣ୍ଡରଟି ନୀଳ ଏବଂ ହଳଦିଆ ରଙ୍ଗର । ଏଥିରେ ମଧ୍ୟ ଟ୍ରାନ୍ସଫ୍ଲେଣ୍ଟ ସ୍ଲଟ୍ ଅଛି, ଯାହା ସିଲିଣ୍ଡରରେ କେତେ ଗ୍ୟାସ୍ ବଳକା ଅଛି ତାହା ଦେଖିବାକୁ ଅନୁମତି ଦିଏ । “ସୁରକ୍ଷା ଦୃଷ୍ଟିରୁ, ମେଟାଲ ସିଲିଣ୍ଡର ପାଇଁ ପରୀକ୍ଷା ଚାପ ମୂଳତଃ ୮୦ କିଲୋଗ୍ରାମ, ଅନ୍ୟପଟେ ଏହି ନୂଆ ସିଲିଣ୍ଡରଟି ୧୨୦ କିଲୋଗ୍ରାମ ପାଇଁ ଡିଜାଇନ୍ କରାଯାଇଛି । ଏହା ବ୍ୟତୀତ, ଯେତେବେଳେ ବାହାରୁ ନିଆଁ ଆସେ ଲୁହା ଏଲପିଜି ସିଲିଣ୍ଡର ଭିତରେ ଚାପ ବଢ଼ିଯାଏ, ଫଳରେ ଏହା ବ୍ଲାଷ୍ଟ ହୁଏ । କିନ୍ତୁ ଲାଇଟ୍ ସିଲିଣ୍ଡର କ୍ଷେତ୍ରରେ, ଏହା ୧୨୦ କିଲୋଗ୍ରାମ ଚାପ ପାଇଁ ଡିଜାଇନ୍ କରାଯାଇଛି । ଯଦି ବାହାରୁ ନିଆଁ ଆସେ, ତେବେ ଏହାର HDP ଅଂଶ ତରଳିଯାଏ ଏବଂ LPG ଲିକ୍ ହେବା ଆରମ୍ଭ କରିବ ଏବଂ ଏହା ଫାଟିବ ନାହିଁ,” ବୋଲି ପାଣ୍ଡିଆନ୍ କହିଛନ୍ତି ।
