ଏନ୍ଇପି ଢାଞ୍ଚାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି
ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଢାଞ୍ଚା ପରିବର୍ତ୍ତନ ହୋଇଛି । ବହିର ନାଁ ବଦଳିଛି । ବିଷୟବସ୍ତୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିସହ ଆଉ କିଛି ନୂଆ ପାଠ୍ୟକ୍ରମ ସାମିଲ କରାଯାଇଛି । ତୃତୀୟ ଶ୍ରେଣୀରୁ କଳା ଶିକ୍ଷା ସହ ଶାରୀରିକ ଶିକ୍ଷା ପଢ଼ାଯିବ । ଏଥିପାଇଁ ଖେଳ ଓ ଯୋଗ ବହି ପ୍ରସ୍ତୁତ ହୋଇଛି । ସେହିପରି ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ସାମିଲ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୋଟ ୫୫ଟି ପାଠ୍ୟପୁସ୍ତକକୁ ବିକଶିତ କରାଯାଇଛି । ନୂଆ ପାଠ୍ୟପୁସ୍ତକ ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍ ୨୦୨୬-୨୭ରୁ ପଢ଼ାଯିବ । ଏଥିପାଇଁ ବହି ଛପା କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକର ତାଲିକା ମଧ୍ୟ ସ୍କୁଲମାନଙ୍କୁ ପଠା ଯାଇଛି ।
ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା(ଓସିଏଫ୍) ଏସ୍ଇ ୨୦୨୫ ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବହିର ବିକାଶ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀର ଦୁଇଟି ପୁସ୍ତକ ପିଲା ପଢ଼ିବେ । ଯେଉଁଥିରେ ଓଡ଼ିଆ ପୁସ୍ତକର ନାଁ ଝୁଲଣା-୧ ଥିବା ବେଳେ ଗଣିତ ଶିକ୍ଷା ପାଇଁ ଗଣିତ ଖେଳ ପୁସ୍ତକ ପ୍ରସ୍ତୁତ କରାଯାଇଛି । ସେହିପରି ଦ୍ୱିତୀୟ ଶ୍ରେଣୀ ପାଇଁ ଝୁଲଣା-୨, ମଜା ମଜାରେ ଗଣିତ ବହି ପ୍ରସ୍ତୁତ ହୋଇଛି । ତୃତୀୟ ଶ୍ରେଣୀର ପିଲାମାନେ ୬ଟି ବହି ପଢ଼ିବେ । ଯେଉଁଥିରେ ଭାଷା ମହକ-୧(ଓଡ଼ିଆ), ପଲ୍ଲବୀ(ଇଂରାଜୀ), ଗଣିତ ମେଳା, ଆମ ବିଚିତ୍ର ବିଶ୍ୱ(ପରିବେଶ ବିଜ୍ଞାନ), ଇନ୍ଦ୍ରଧନୁ(କଳା ଶିକ୍ଷା), ଖେଳ ଓ ଯୋଗ(ଶାରୀରିକ) ପାଠ୍ୟପୁସ୍ତକରେ ପଢ଼ା ହେବ । ସେହିପରି ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଭାଷା ମହକ-୨(ଓଡ଼ିଆ), ପଲ୍ଲବୀ(ଇଂରାଜୀ), ଗଣିତ ମେଳା, ଆମ ବିଚିତ୍ର ବିଶ୍ୱ(ପରିବେଶ ବିଜ୍ଞାନ), ଇନ୍ଦ୍ରଧନୁ(କଳା), ଖେଳ ଓ ଯୋଗ(ଶାରୀରିକ) ପାଠ୍ୟପୁସ୍ତକରେ ପଢ଼ା ହେବ । ପଞ୍ଚମ ଶ୍ରେଣୀ ପିଲାଙ୍କ ଭାଷା ମହକ୩(ଓଡ଼ିଆ), ପଲ୍ଲବୀ(ଇଂରାଜୀ), ଗଣିତ ମେଳା, ଆମ ବିଚିତ୍ର ବିଶ୍ୱ(ପରିବେଶ ବିଜ୍ଞାନ), ନବରସ(କଳା), ଖେଳ ଓ ଯୋଗ(ଶାରୀରିକ) ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି ।
ସେହିପରି ଉଚ୍ଚ ପ୍ରାଥମିକ ଶ୍ରେଣୀରୁ ଅର୍ଥାତ୍ ଷଷ୍ଠରୁ ଅଷ୍ଟମ ଯାଏ ସମସ୍ତ ଶ୍ରେଣୀରେ ୧୧ ଖଣ୍ଡ ଲେଖାଏଁ ବହି ବିକାଶ ହୋଇଛି । ଯେଉଁଥିରେ ଧନ୍ଦାମୂଳକ, ଶାରୀରିକ, କଳା ଶିକ୍ଷା ସାମିଲ ହୋଇଛି । ଷଷ୍ଠରେ ସାହିତ୍ୟ ସୁଧା(ଓଡ଼ିଆ), ଜସ୍ମିନ୍(ଇଂରାଜୀ), ହିନ୍ଦୀ କଳିକା(ହିନ୍ଦୀ), ସଂସ୍କୃତ କଳିକା ଭାଗ୧(ସଂସ୍କୃତ), ତଲାସ(ଉର୍ଦ୍ଦୁ), ଗଣିତ ପ୍ରକାଶ, ଜିଜ୍ଞାସା(ବିଜ୍ଞାନ), ସାମାଜିକ ବିଜ୍ଞାନ ଅଧ୍ୟୟନ: ଭାରତ ଓ ଆମ ପୃଥିବୀ, କୌଶଳ ବୋଧ(ଧନ୍ଦାମୂଳକ ଶିକ୍ଷା), କଳା କୁଞ୍ଜ(କଳା), ଖେଳ ଶିକ୍ଷା(ଶାରୀରିକ) ପାଠ୍ୟପୁସ୍ତକରେ ପଢ଼ା ହେବ । ସେହିପରି ସପ୍ତମ ଶ୍ରେଣୀରେ ସାହିତ୍ୟ ପୁସ୍ତକର ନାଁ ସାହିତ୍ୟ ସୁମନ୍, କଳା ଶିକ୍ଷା ପୁସ୍ତକର ନାଁ କଳାକୃତି ରଖାଯାଇଛି । ଅଷ୍ଟମ ଶ୍ରେଣୀରେ ସାହିତ୍ୟ ପୁସ୍ତକର ନାଁ ସାହିତ୍ୟ ସୁରଭି ଓ କଳା ଶିକ୍ଷାର ନାଁ କୃତି ରଖାଯାଇଛି । ବାକି ୯ଟି ପୁସ୍ତକ ନାମ ଷଷ୍ଠ ଶ୍ରେଣୀର ପୁସ୍ତକ ନାମ ସହ ସମାନ ରହିଛି । ସୂଚନାଯୋଗ୍ୟ, ନୂଆ ବହି ଢାଞ୍ଚାରେ ପିଲାଙ୍କୁ ଶିକ୍ଷା ଦାନ ପାଇଁ ଶିକ୍ଷକଙ୍କୁ ୫ ଦିନିଆ ତାଲିମ ଦିଆଯିବ । ଏଥିରେ ୮୫ ହଜାର ୪୬ ଜଣ ପ୍ରାଥମିକ ଶିକ୍ଷକ ଓ ୮୧ ହଜାର ୯୪୮ ଜଣ ଉଚ୍ଚ ପ୍ରାଥମିକ ଶିକ୍ଷକ ତାଲିମ ନେବେ । ମୋଟ ୧ ଲକ୍ଷ ୬୬ ହଜାର ୯୬୪ ଶିକ୍ଷକ ତାଲିମ ନେବେ । ଟିଇ ଆଣ୍ଡ୍ ଏସ୍ସିଇଆର୍ଟି ପକ୍ଷରୁ ଶିକ୍ଷକ ଟ୍ରେନିଂ ମଡ୍ୟୁଲ୍ ବିକଶିତ ହୋଇଛି । ବିଭିନ୍ନ ଜୋନ୍ରେ ଟିଇ ଓ ଏସ୍ସିଇଆର୍ଟି ପକ୍ଷରୁ ଜିଲ୍ଲାର ମାଷ୍ଟରଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବ ।
