ରାଜ୍ୟ

ସେପ୍ଟେମ୍ବର ପହିଲାରୁ କୁକୁର ଗଣନା

0
(0)

ରାଜଧାନୀରେ ହେବାକୁ ଥିବା କୁକୁର ଗଣନାକୁ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। କୁକୁର ଗଣନା କିପରି ହେବ। କେଉଁମାନେ ଏଥିରେ ସାମିଲ ହେବେ। ସଠିକ୍‌‌ କୁକୁର ଗଣନା କିପରି ହୋଇପାରିବ ସେ ନେଇ ବିଏମ୍‌‌ସି କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଛି। ଏହି ଯୋଜନାରେ ବିଏମ୍‌‌ସି କମିସନରଙ୍କ ମୋହର ଲାଗିଲେ ଗଣନା କାର୍ଯ୍ୟ ବାସ୍ତବ ରୂପ ନେବ। ମିଳିଥିବା ସୂଚନା ମୁତାବକ ଯୋଜନା ଅନୁଯାୟୀ ଯଦି ସବୁକିଛି ଠିକ୍‌‌ ରୁହେ, ତେବେ ସେପ୍ଟେମ୍ବର ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ବିଏମ୍‌‌ସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ରାତି ୨ଟାରୁ ଭୋର୍‌‌ ୪ଟା ମଧ୍ୟରେ କୁକୁରମାନେ ରାସ୍ତାରେ ଥିବାରୁ ସହଜ ଉପାୟରେ କୁକୁର ଗଣନା କରାଯାଇପାରେ।

କୁକୁର ଗଣନାରେ ସ୍ୱଚ୍ଛସାଥିଙ୍କୁ ନିୟୋଜିତ କରାଯିବ। ପ୍ରାୟ ୪ ଶହ ସ୍ୱଚ୍ଛସାଥୀ, ସଫେଇ କର୍ମଚାରୀ ଏବଂ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଏଥିରେ ନିୟୋଜିତ କରାଯିବ। ଏମାନଙ୍କୁ ଗଣନା ପୂର୍ବରୁ ଏକ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ପ୍ରତ୍ୟେକ ୱାର୍ଡ ପାଇଁ ଜଣେ ସୁପରଭାଇଜର ରହିବେ। ତାଙ୍କ ଅଧୀନରେ ୪ଟି ଟିମ୍‌‌ ଗଠନ କରାଯିବ। ଏହି ଟିମ୍‌‌ରେ ୪ରୁ୫ ଜଣ ସଦସ୍ୟ ରହିବେ। ଏହି ଟିମ୍‌‌ର କାମ ହେଉଛି ବାଇକ୍‌‌ରେ ବିଭିନ୍ନ ଗଳି ବୁଲି କୁକୁର ଗଣନା କରିବେ। କୁକୁରମାନେ ଯେପରି ଜାଣି ନ ପାରିବେ ଏଣୁ ପ୍ରତିଟି ଟିମ୍‌‌ ସ୍ୱଳ୍ପ ଗତିରେ ବାଇକ୍‌‌ ଚାଳନା କରିବେ। କୁକୁର ଗଣନା କରି ସୁପରଭାଇଜମାନଙ୍କୁ ଜଣାଇବେ। ବିଏମ୍‌‌ସି ଅଞ୍ଚଳରେ ଏହି ଗଣନା ୯ ଦିନ ଧରି ଚାଲିବ। ଏହି ୯ଦିନ ମଧ୍ୟରେ ସମଗ୍ର ଭୁବନେଶ୍ୱର ସହରରେ ଗଣନା ଶେଷ ହେବ। ପରେ ରାଜଧାନୀରେ କେତେ ସଂଖ୍ୟକ କୁକୁର ଅଛନ୍ତି ତାହା ଜଣାପଡ଼ିବ। ଏଥିପାଇଁ ଯଦିଓ ବିଏମ୍‌‌ସି ପକ୍ଷରୁ କୌଣସି ସ୍ୱତନ୍ତ୍ର ପାଣ୍ଠି ପ୍ରସ୍ତୁତ କରାଯାଇ ନାହିଁ ତେବେ ଯେଉଁମାନେ ଗଣନା କରିବେ ସେମାନଙ୍କୁ ବିଏମ୍‌‌ସି ପକ୍ଷରୁ କିଛି ଅର୍ଥ ପ୍ରଦାନ କରାଯିବ। ଏହି ପଦ୍ଧତିରେ ଗଣନା ଦ୍ୱାରା ଯଦିଓ ରାଜଧାନୀର କେତେ କୁକୁର ଅଛନ୍ତି ତାହାର ପ୍ରକୃତ ସଂଖ୍ୟା ଜଣା ନ ପଡ଼ିବ, ଏହି ପଦ୍ଧତିରେ ୯୫ ପ୍ରତିଶତ ସଠିକତା ରହିବ ବୋଲି ବିଏମ୍‌‌ସିର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି।

ସହରରେ କୁକୁର ସଂଖ୍ୟା କମାଇବାକୁ ହେଲେ ବନ୍ଧ୍ୟାକରଣ ଏକ ଶ୍ରେଷ୍ଠ ମାଧ୍ୟମ। ଏଣୁ ସହରରେ କୁକୁର ସଂଖ୍ୟା ଜାଣିଲେ ପ୍ରଶାସନ ଏହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବ। ଆବଶ୍ୟକ ସଂଖ୍ୟକ କୁକୁର ବନ୍ଧ୍ୟାକରଣ କେନ୍ଦ୍ର, ଓଟି, ଡାକ୍ତର ଏବଂ ଚିକିତ୍ସା ସୁବିଧା ଯୋଗାଇବାକୁ ଯୋଜନା ପ୍ରସ୍ତୁତ ହୁଏ। ଯଦି ସହରରେ ୮୦ହଜାର କୁକୁର ଥିବେ ମାତ୍ର ୨ ଜଣ ଡାକ୍ତର ବନ୍ଧ୍ୟାକରଣ କରିବେ। ତେବେ ବର୍ଷ ବର୍ଷ ଧରି ବନ୍ଧ୍ୟାକରଣ ପ୍ରକ୍ରିୟା ଚାଲିଲେ ମଧ୍ୟ କୁକୁର ସଂଖ୍ୟା ବଢ଼ିବେ ପଛେ କମିବେ ନାହିଁ। ଏଣୁ କୁକୁର ସଂଖ୍ୟା ଅନୁଯାୟୀ ଡାକ୍ତର ନିୟୋଜିତ ହୋଇଥାନ୍ତି। ରାଜ୍ୟରେ କେତେ କ୍‌‌ୁକୁର ଅଛନ୍ତି ତାହା ନ ଜାଣି ବହୁ ଦିନ ହେବ କୁକୁର ବନ୍ଧ୍ୟାକରଣ ଚାଲିଛି। ଏବେ କୁକୁର ଗଣନା ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଦେଉଛନ୍ତି।

ରାଜ୍ୟରେ କେବେ ବି ସ୍ୱତନ୍ତ୍ର ଭାବେ କୁକୁର ଗଣନା କେବେ ବି ହୋଇନାହିଁ। ପଶୁ ସମ୍ପଦ ବିଭାଗ ବିଭିନ୍ନ ନିର୍ଦ୍ଦିଷ୍ଟ ବର୍ଷ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ପଶୁ ଗଣନା କରିଥାଏ। ଏହି ସମୟରେ କୁକୁର ଗଣନା କରାଯାଏ। ଏଣୁ ଏହି ଗଣତି ମାଧ୍ୟମରେ ଦିଆ ଯାଇଥିବା ସଂଖ୍ୟାକୁ କେହି ଗୁରୁତର ସହ ନିଅନ୍ତି ନାହିଁ। ଅନ୍ୟପକ୍ଷରେ ଅନ୍ୟ ଏକ ମାଧ୍ୟମରେ କୌଣସି ଏକ ସହରର କୁକୁର ସଂଖ୍ୟାକୁ ଆକଳନ କରାଯାଏ। କୌଣସି ଏକ ସହରରେ ମଣିଷର ଜନସଂଖ୍ୟା ଅନୁଯାୟୀ କୁକୁର ସଂଖ୍ୟା ସ୍ଥିର କରାଯାଏ। ଏହି ଦୃଷ୍ଟିରୁ ଭୁବନେଶ୍ୱରରେ ୨୦୧୯ରେ ଜନସଂଖ୍ୟା ୧୦ଲକ୍ଷ ଅନୁମାନ କରାଯାଉଥିଲା ବେଳେ କୁକୁର ସଂଖ୍ୟା ୪୦ହଜାର ବୋଲି ଅନୁମାନ କରାଯାଉଥିଲା। କେନ୍ଦ୍ରୀୟ ନିୟମ ମୁତାବକ ୨୦୨୩ ମସିହା ପର ଠାରୁ ପଶୁ ସମ୍ପଦ ବିଭାଗ ଆଉ କୁକୁର ଗଣନା କରିବ ନାହିଁ। କେବେଳ ୟୁଏଲ୍‌‌ବିଗୁଡ଼ିକ ନିଜ ନିଜ ଅଞ୍ଚଳରେ କୁକୁର ଗଣନା କରିବେ। କୁକୁର ଗଣନା ପାଇଁ ଅର୍ଦ୍ଧରାତ୍ର ସବୁଠାରୁ ଉଚିତ୍‌‌ ସମୟ ବୋଲି ଧରାଯାଏ। ଏଣୁ ରାତି ୨ଟାରୁ ୪ଟା ମଧ୍ୟରେ ସଠିକ୍‌‌ କୁକୁର ଗଣନା ସମ୍ଭବ ହୋଇପାରିବ। ଏହି ସମୟ ସବୁଠାରୁ ଶୁନ୍‌‌ଶାନ୍‌‌ ସମୟ ହୋଇଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ କୁକୁର ଗଣନା ହୋଇପାରେ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE