ମାର୍ଚ୍ଚରୁ ଆରମ୍ଭ ଖରାର ପ୍ରକୋପ, ବୌଦ୍ଧରେ ୩୮.୫, ରାଜଧାନୀରେ ୩୬.୪ ଡିଗ୍ରୀ
ଏଥର ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବସନ୍ତରେ ହେଉଛି ଟାଇଁଟାଇଁ ଖରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ । ଝାରସୁଗୁଡାରେ ଗତକାଲି ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି ।
ଗତକାଲି ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ । ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା । ଏବେଠୁ ତାତି ଏତେ ପରିମାଣରେ ବଢିଥିବାବେଳେ ଏପ୍ରିଲ ଓ ମେ’ ମାସରେ ସାଂଘାତିକ ଖରା ହେବା ଆଶଙ୍କା କରାଯାଉଛି ।