ଜାତୀୟ

ଆଧାର କାର୍ଡକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ : ସୁପ୍ରିମକୋର୍ଟ

0
(0)

ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ ଆୟୋଗ (ECI)ର ମତକୁ ସମର୍ଥନ କରିଛନ୍ତି ଯେ ଆଧାର କାର୍ଡକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଏବଂ ଏହାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯିବା ଆବଶ୍ୟକତା ରହିଛି। ବିହାରରେ ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR)କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।

ଜଷ୍ଟିସ କାନ୍ତ ଆବେଦନକାରୀଙ୍କ ପାଇଁ ଉପସ୍ଥିତ ବରିଷ୍ଠ ଓକିଲ କପିଲ ସିବଲଙ୍କୁ କହିଛନ୍ତି, “ନିର୍ବାଚନ ଆୟୋଗ ଠିକ୍‌ କହୁଛି ଯେ ଆଧାରକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଏହାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି।” କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଏହା ନିଷ୍ପତ୍ତି ନିଆଯିବା ଜରୁରୀ ଯେ ନିର୍ବାଚନ ଆୟୋଗଙ୍କର ଯାଞ୍ଚ କାର୍ଯ୍ୟ କରିବାର କ୍ଷମତା ଅଛି କି ନାହିଁ। ଯଦି ସେମାନଙ୍କର ଏହି କ୍ଷମତା ନାହିଁ, ତେବେ ଏନେଇ ଚିନ୍ତା କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ଯଦି କ୍ଷମତା ଅଛି, ତେବେ କୌଣସି ସମସ୍ୟା ନାହିଁ।

ସିବଲ ଯୁକ୍ତି ଦେଇଛନ୍ତି ଯେ ନିର୍ବାଚନ ଆୟୋଗର ଏହି ପ୍ରକ୍ରିୟା ବହୁ ସଂଖ୍ୟାରେ ଭୋଟରଙ୍କୁ ତାଲିକାରୁ ବାଦ ଦେବ। ବିଶେଷ କରି ଯେଉଁମାନେ ଆବଶ୍ୟକୀୟ ଫର୍ମ ଦାଖଲ କରିବାରେ ଅସମର୍ଥ ରହିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୦୩ ନିର୍ବାଚନୀ ତାଲିକାରେ ଥିବା ଭୋଟରମାନଙ୍କୁ ମଧ୍ୟ ନୂଆ ଫର୍ମ ପୂରଣ କରିବାକୁ କୁହାଯାଉଛି। ଏବଂ ତାହା ନକଲେ ସେମାନଙ୍କ ନାମ ତାଲିକାରୁ ହଟାଇ ଦିଆଯିବ, ଯଦିଓ ସେମାନେ ସ୍ଥାନ ପରିବର୍ତ୍ତନ କରି ନାହାନ୍ତି। ସିବଲଙ୍କ ଅନୁଯାୟୀ, ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ ୭.୨୪ କୋଟି ଲୋକ ଫର୍ମ ଦାଖଲ କରିଛନ୍ତି। କିନ୍ତୁ ପ୍ରାୟ ୬୫ ଲକ୍ଷ ଲୋକଙ୍କ ନାମ ମୃତ୍ୟୁ କିମ୍ବା ସ୍ଥାନାନ୍ତରଣ ବିଷୟରେ କୌଣସି ଯଥାଯଥ ତଦନ୍ତ ବିନା ବାଦ ଦିଆଯାଇଛି।

କୋର୍ଟ ଏହି ୬୫ ଲକ୍ଷ ସଂଖ୍ୟା କିପରି ଆସିଲା ଏବଂ ଏହା ଯାଞ୍ଚ ହୋଇଛି କି କେବଳ ଅନୁମାନ ଉପରେ ଆଧାରିତ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କର ଆଶଙ୍କା କାଳ୍ପନିକ ନା ଏହା ପଛରେ ବାସ୍ତବତା ରହିଛି।” ତେବେ ଅନୁଧ୍ୟାନରୁ ଜଣାପଡିଛି ଯେ ଯେଉଁମାନେ ଫର୍ମ ଦାଖଲ କରିଛନ୍ତି, ସେମାନଙ୍କ ନାମ ଡ୍ରାଫ୍ଟ ତାଲିକାରେ ରହିଛି। ଅନ୍ୟପକ୍ଷରେ, ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ମୃତ୍ୟୁ କିମ୍ବା ସ୍ଥାନାନ୍ତରଣ ହେତୁ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକା କୋର୍ଟରେ କି ତାଙ୍କ ୱେବସାଇଟରେ ପ୍ରକାଶ କରିନାହାନ୍ତି।

ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ଯଦି ଜଣେ ଭୋଟର ଆଧାର ଏବଂ ରାସନ କାର୍ଡ ସହିତ ଫର୍ମ ଦାଖଲ କରନ୍ତି, ତେବେ ନିର୍ବାଚନ ଆୟୋଗ ଏହାର ବିବରଣୀ ଯାଞ୍ଚ କରିବାକୁ ବାଧ୍ୟ। ଯେଉଁମାନେ ନୋଟିସ ପାଇବାର ଅଧିକାରୀ, ସେମାନଙ୍କୁ ନଥିପତ୍ର ଅଭାବ ବିଷୟରେ ସୂଚନା ଦିଆଯାଇଛି କି ନାହିଁ ଏନେଇ କୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି।

ଏହି ମାମଲା ବିହାରରେ ନିର୍ବାଚନୀ ତାଲିକାରୁ ବହୁ ସଂଖ୍ୟାରେ ନାମ ବାଦ ଦେବା ଏବଂ ଆଧାର ଭଳି ନଥିପତ୍ରକୁ ବାଦ ଦେବା ବିରୋଧରେ ଆବେଦନକୁ କେନ୍ଦ୍ର କରି ଜାରି ରହିଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଆଧାର କେବଳ ପରିଚୟର ପ୍ରମାଣ ଏବଂ ନାଗରିକତା ଯାଞ୍ଚ ପାଇଁ ଏହାକୁ ଏକମାତ୍ର ନଥିପତ୍ର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE