ରାଜ୍ୟ

ଆଜି ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ

0
(0)

ଚାଷୀ, ମହିଳା, ଯୁବା, ବୟସ୍କ- ଏ ସମସ୍ତ ବର୍ଗର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପାଞ୍ଚିଛନ୍ତି । ଅର୍ଥନୀତିକୁ ଉଚ୍ଚ ଅଭିବୃଦ୍ଧି ମାର୍ଗରେ ଦୌଡ଼ାଇବାକୁ କାର୍ଯ୍ୟକ୍ରମ ଖର୍ଚ୍ଚ ସହ ପୁଞ୍ଜିଗତ ବ୍ୟୟ (କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର) ଯଥେଷ୍ଟ ବଢ଼ାଇବାକୁ ବ୍ଲୁପ୍ରିଣ୍ଟ ମଧ୍ୟ ହୋଇଛି । ହେଲେ ଏ ମହତ୍ତ୍ୱାକାଂକ୍ଷାରେ ବାଧା ସାଜିପାରେ ସମ୍ବଳ ଅଭାବ । ଆକଳନ ମୁତାବକ ବଢ଼ୁ ନାହିଁ ଆୟ। ନିଜସ୍ୱ ଟିକସ ଆୟ ବୃଦ୍ଧି ହାର ଧିମା । କେନ୍ଦ୍ରୀୟ ଅନୁଦାନ ବି ହ୍ରାସ ପାଉଛି । ଏଭଳି ସ୍ଥିତିରେ ବିକାଶ ଖର୍ଚ୍ଚ ଭରଣା କରିବାକୁ ସରକାର ଅଧିକ ଋଣ ଉଠାଇ ପାରନ୍ତି । ବିତ୍ତୀୟ ନିଅଣ୍ଟ ବି ବଢ଼ିପାରେ ।

ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରିବେ । ନୂଆ ସରକାରଙ୍କ ଦ୍ୱିତୀୟ ବଜେଟରେ ବିକାଶର ନୂଆ ଦିଗ ଦେଖାଇବେ ମୁଖ୍ୟମନ୍ତ୍ରୀ । ସୀମିତ ସମ୍ବଳ ସତ୍ତେ୍ୱ ମୋଟ ବ୍ୟୟ ଅଟକଳକୁ ୧୫ରୁ ୧୭ ପ୍ରତିଶତ ବଢ଼ାଯାଇ ପାରେ । ୨୦୨୪- ୨୫ରେ ମୋଟ ବ୍ୟୟ ଅଟକଳ ଥିଲା ୨ ଲକ୍ଷ ୬୫ ହଜାର କୋଟି । ଏହା ୩ ଲକ୍ଷ ୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ବିକାଶର ମାପକାଠି କାର୍ଯ୍ୟକ୍ରମ ଖର୍ଚ୍ଚକୁ ୨୦% ବୃଦ୍ଧି କରାଯାଇପାରେ । ଚଳିତ ଆର୍ଥକ ବର୍ଷ ପାଇଁ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୧ ଲକ୍ଷ ୫୫ ହଜାର କୋଟି ରହିଛି । ଏହାକୁ ୧ ଲକ୍ଷ ୮୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି । ଅନୁରୂପ ଭାବେ ରାଜ୍ୟ କ୍ଷେତ୍ର କାର୍ଯ୍ୟକ୍ରମ ଖର୍ଚ୍ଚକୁ ୧ ଲକ୍ଷ ୧୨ ହଜାର କୋଟିରୁ ୧ ଲକ୍ଷ ୩୫ ହଜାର କୋଟିକୁ ବୃଦ୍ଧି କରାଯାଇପାରେ ।

ତେବେ ଏ ବର୍ଷ ରାଜସ୍ୱ ଆୟ ବୃଦ୍ଧି ହାର ସରକାରଙ୍କୁ ଚିନ୍ତାରେ ପକାଇଛି । ଆକାଉଣ୍ଟ୍‌ସ ଜେନେରାଲ୍‌ଙ୍କ ଦେଇଥିବା ତଥ୍ୟ ଅନୁସାରେ ଡିସେମ୍ବର ମାସ ସୁଦ୍ଧା ରାଜସ୍ୱ ଆୟ ବଢ଼ିଛି ମାତ୍ର ୬% । ଲକ୍ଷ୍ୟ ଥିଲା ପାଖପାଖି ୧୪% ବଢ଼ିବ । କେବଳ କେନ୍ଦ୍ରୀୟ ଟିକସ ଭାଗକୁ ଛାଡ଼ିଦେଲେ ଅନ୍ୟ କୌଣସି ଟିକସ ଉତ୍ସରୁ ଆଶାନୁରୂପ ଆୟ ହୋଇ ନାହିଁ । ନିଜସ୍ୱ ଟିକସ ଆୟ ୯ ମାସରେ ଲକ୍ଷ୍ୟର ୬୭% ହୋଇଛି । ଜିଏସ୍‌ଟି ଆୟ ୬.୫% ବଢ଼ିଥିବା ବେଳେ ବିକ୍ରିକର ୫% ଓ ଅବକାରୀ ଶୁଳ୍କ ୧୪% ବଢ଼ିଛି ଗତବର୍ଷ ତୁଳନାରେ । ଅଣଟିକସ ରାଜସ୍ୱ ୧୪% ହାରରେ ବଢ଼ିଛି । ଷ୍ଟାମ୍ପ୍‌ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍‌ ଫି ୨% ହ୍ରାସ ପାଇଥିବା ବେଳେ ଭୂରାଜସ୍ୱ ୧.୫ କମିଛି । କେନ୍ଦ୍ରୀୟ ଟିକସ ଭାଗ କିନ୍ତୁ ୨୧% ବଢ଼ିଛି ୨୦୨୩-୨୪ ଡିସେମ୍ବର ତୁଳନାରେ । କେନ୍ଦ୍ରୀୟ ଅନୁଦାନ କମିଛି ୧୫% । ଏଭଳି ସ୍ଥିତିରେ ଆଗାମୀ ବର୍ଷର ଟିକସ ଓ ଅଣ ଟିକସ ଆୟ ସୂତ୍ରରୁ ଆଶାନୂରୂପ ଆୟ ହୋଇ ନ ପାରେ ବେଲି ଅର୍ଥ ବିଭାଗ ଆକଳନ କରୁଛି । ତେବେ କେନ୍ଦ୍ରୀୟ ଟିକସ ଭାଗ ପ୍ରାୟ ୧୭ ପ୍ରତିଶତ ବଢ଼ିବ ।

କେନ୍ଦ୍ର ବଜେଟ୍‌ ଦେଇଥିବା ସୂଚନା ଅନୁସାରେ ୨୦୨୫-୨୬ରେ ଓଡ଼ିଶା ଏ ବାବଦରେ ୬୪ ହଜାର ୪୦୮ କୋଟି ଟଙ୍କା ପାଇବ । ଏ ବର୍ଷ ୫୫,୨୩୧ କୋଟି ପାଇବ ବୋଲି ବଜେଟ ବ୍ୟବସ୍ଥା ରହିଛି । ଏଣୁ ଖର୍ଚ୍ଚ ଭରଣା କରିବାକୁ ସରକାର ଖୋଲା ବଜାରରୁ ଅଧିକ ଋଣ କରି ପାରନ୍ତି । ରାଜ୍ୟର ମୋଟ ଋଣ ବୋଝ ମୋଟ ଘରୋଇ ଉତ୍ପାଦର ମାତ୍ର ୧୩.୫% । ଏଫ୍‌ଆର୍‌ବିଏମ୍‌ ଆଇନ ଅନୁସାରେ ରାଜ୍ୟ ଜିଏସ୍‌ଡିପିର ୨୫% ଯାଏ ଋଣ ଉଠାଇପାରିବ । ବିତ୍ତୀୟ ନିଅଣ୍ଟ ଜିଏସ୍‌ଡିପିର ୩.୫% ଭିତରେ ରଖିବାକୁ କଟକଣା ରହିଛି । ଓଡ଼ିଶାର ଜିଏସ୍‌ଡିପି ଏ ବର୍ଷ ୯ ଲକ୍ଷ ୫୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଇଛି । ଆଗାମୀ ବର୍ଷ ଯଦି ବଜାର ଦରରେ (କରେଣ୍ଟ ପ୍ରାଇସ) ଏହା ୧୧ ପ୍ରତିଶତ ବଢ଼େ ତେବେ ମୋଟ ତେବେ ଏହା ୧୦ ଲକ୍ଷ ୫୪ ହଜାର କୋଟି ଛୁଇଁବ । ଏହାର ୩.୫% ଅର୍ଥାତ୍‌ ପାଖାପାଖି ୩୭ ହଜାର କୋଟି ଟଙ୍କା ଯାଏ ସରକାର ଋଣ ଉଠାଇ ପାରିବେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE