Uncategorized

ଟ୍ରମ୍ପଙ୍କ ଘୋଷଣା,ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରି ପଠାଯିବ ସ୍ୱଦେଶ

0
(0)

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଯାହାପରେ ସେ ଦେଶରେ ରହୁଥିବା ବେଆଇନ ପ୍ରବାସୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିନା ବୈଧ ଦସ୍ତାବିଜରେ ଆମେରିକାରେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତଡିବା ଲାଗି ଘୋଷଣା କରିଛନ୍ତି । ଯାହାକୁ ନେଇ ସେଠାରେ ରହୁଥିବା ବିଭିନ୍ନ ଦେଶର ପ୍ରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛି ଲୋକ ଟ୍ରମ୍ପଙ୍କ ଏଭଳି କଠୋର ନିଷ୍ପତ୍ତିରୁ ବର୍ତ୍ତିବା ଲାଗି ଓକିଲ ଓ ଚର୍ଚ୍ଚର ସହାୟତା ମଧ୍ୟ ଲୋଡିଥିବା ସୂଚନା ମିଳିଛି ।

ପିଉ ରିସର୍ଚ୍ଚ ରିପୋର୍ଟ ୨୦୨୪ ଅନୁସାରେ ଆମେରିକାରେ ବୈଧ ଦସ୍ତାବିଜ ନଥିବା ଭାରତୀୟଙ୍କ ସଂଖ୍ୟା ହେଉଛି ୭ ଲକ୍ଷ ୨୫ ହଜାର । ମେକ୍ସିକୋ ଓ ଏଲ୍‌ସାଲଭାଡୋର ପରେ ଏହା ତୃତୀୟ ସର୍ବାଧିକ । ଅବୈଧ ଦସ୍ତାବିଜ ସହ ଆମେରିକାରେ ରହୁଥିବା ମେକ୍ସିକୀୟଙ୍କ ସଂଖ୍ୟା ୪୦ ଲକ୍ଷ ହୋଇଥିଲା ବେଳେ ଏଲ୍‌ସାଲଭାଡୋର ଲୋକଙ୍କ ସଂଖ୍ୟା ରହିଛି ୭ ଲକ୍ଷ ୫୦ ହଜାରରୁ ଅଧିକ । ପୂର୍ବର ବାଇଡେନ ପ୍ରଶାସନର ସରଳ ନୀତି ସତ୍ତେ୍ୱ ଆମେରିକାରେ ରହୁଥିବା ୧୯୨ଟି ଦେଶର ୨ଲକ୍ଷ ୭୦ ହଜାର ପ୍ରବାସୀଙ୍କୁ ନିଜ ନିଜ ଦେଶକୁ ପଠାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରେ ପ୍ରାୟ ୧୫୨୯ ଭାରତୀୟଙ୍କୁ ମଧ୍ୟ ନିଜ ଦେଶକୁ ଫେରିବାକୁ ପଡିଥିଲା । ୨୦୧୪ ପରଠାରୁ ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ପଠାଯିବାରେ ଏହା ସର୍ବାଧିକ ଥିଲା । ଜୋ ବାଇଡେନ, ବାରାକ ଓବାମା ଓ ଜର୍ଜ ବୁଶ୍‌ ରାଷ୍ଟ୍ରପତି ଥିବା ବେଳେ ପ୍ରବାସୀଙ୍କ ପ୍ରତି ସରଳ ନୀତି ଯୋଗୁ ଭାରତୀୟଙ୍କ ସମେତ ବହୁସଂଖ୍ୟକ ବିଦେଶୀ ନାଗରିକ ସେଠାକୁ ଯାଇ ବସବାସ କରୁଛନ୍ତି । ଆମେରିକାରେ ଅବୈଧ ଦସ୍ତାବିଜରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କେବଳ ଟେକ୍ସାସ, ଫ୍ଲୋରିଡା, ନ୍ୟୁୟର୍କ ଓ ନ୍ୟୁଜର୍ସି ରାଜ୍ୟରେ ରହୁଛନ୍ତି ।

କେବଳ ଫ୍ଲୋରିଡାରେ ୪ ଲକ୍ଷରୁ ଅଧିକ ଭାରତୀୟ ରହୁଥିବା ସୂଚନା ମିଳିଛି । ବାଇଡେନ ରାଷ୍ଟ୍ରପତି ଥିଲା ବେଳେ ‘ଏକକ ପ୍ରବେଶ’ଯୋଜନା ଲାଗୁ କରିଥିଲେ । ଯାହାଫଳରେ ହଜାର ହଜାର ପ୍ରବାସୀମାନେ ଏକ ଆପ୍‌ ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ମାଧ୍ୟମରେ ଆମେରିକାରେ ପ୍ରବେଶ କରିବା ସହଜ ହୋଇଥିଲା । କିନ୍ତୁ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ସହ ସେସବୁ ବ୍ୟବସ୍ଥାକୁ ରଦ୍ଦ କରାଯାଇଛି । ଆମେରିକାରେ ବର୍ତ୍ତମାନ ପ୍ରାୟ ୧ କୋଟି ୪୦ ଲକ୍ଷ ଏଭଳି ନାଗରିକ ରହୁଛନ୍ତି ଯେଉଁମାନଙ୍କର ରହିବା ଲାଗି ବୈଧ ଦସ୍ତାବିଜ ନାହିଁ । କିନ୍ତୁ ଟ୍ରମ୍ପ ଦାବି କରିଛନ୍ତି କି ଏହି ସଂଖ୍ୟା ୨ କୋଟିରୁ ୨.୫ କୋଟି ହେବ । ସେମାନଙ୍କ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ୫ ଲକ୍ଷ ୫୫ ହଜାର ଲୋକ ରହିଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ଦେଶ ଛାଡିବାକୁ ୧ କୋଟି ୪୦ ଲକ୍ଷ ଲୋକଙ୍କୁ ନୋଟିସ ଜାରି କରାଯାଇସାରିଛି । ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଏସବୁ ଲୋକଙ୍କୁ ଦେଶରୁ ବିତାଡିତ କରିବା ଲାଗି ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଶିକାଗୋ ଓ ନ୍ୟୁୟର୍କରେ କାର୍ଯ୍ୟକାରୀ ହେଉଥିବା ପ୍ରୋ ବୋନୋ ଲିଗାଲ ସର୍ଭିସ ଓ ସାଙ୍କଚୁଆରୀ ପ୍ରୋଗ୍ରାମ ମାଧ୍ୟମରେ କିଛି ପ୍ରବାସୀ ସେଠାରେ ରହିବାକୁ ଉଦ୍ୟମ ଚଳାଇଛନ୍ତି । ଏକଥା ଜଣାପଡିବା ପରେ ଟ୍ରମ୍ପ ସେଠାକାର ପ୍ରଶାସନକୁ ଚେତାବନୀ ଦେଇଛନ୍ତି । କହିଛନ୍ତି କୌଣସି ବେଆଇନ କାମ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ ଏଭଳି କାର୍ଯ୍ୟାନୁଷ୍ଠନ ଫଳରେ ସେଠାରେ ରହୁଥିବା ଲୋକମାନେ ଏବେ ଭୟରେ ଥରହର ହୋଇଛନ୍ତି । ବିଭିନ୍ନ ସଂସ୍ଥାରେ ଚାକିରି କରିଥିବା ଲୋକେ, ସ୍କୁଲ ଓ କଲେଜ ଯାଉଥିବା ପିଲାମାନେ ଏବେ କରିବେ କ’ଣ ତାକୁ ନେଇ ଘୋର ସଙ୍କଟରେ ପଡିଛନ୍ତି । ସେପଟେ ଭାରତ ସରକାର କହିଛନ୍ତି ଆମେରିକାରେ ବେଆଇନ ଭାବେ ୧୮ ହଜାର ଭାରତୀୟ ରହୁଥିବାର ସୂଚନା ମିଳିଛି । ସେମାନଙ୍କୁ ସେଠାରୁ ଫେରାଇ ଆଣିବା ଦିଗରେ ଟ୍ରମ୍ପ ସରକାର ସହ ବିଚାରବିମର୍ଶ କରାଯାଉଛି । କିନ୍ତୁ ଆମେରିକାରେ ଏହାଠାରୁ ବହୁ ଅଧିକ ଭାରତୀୟ ବସବାସ କରୁଛନ୍ତି । ସରକାରୀ ଭାବେ ସେମାନଙ୍କ ଗଣତି କରାଯାଇ ନଥିବାରୁ ପ୍ରକୃତ ତଥ୍ୟ ଆସପାରିନାହିଁ ।

କେବଳ ବେଆଇନ ପ୍ରବାସୀ ନୁହନ୍ତି, ଏଚ୍‌-୧ବି ଭିସାଧାରୀଙ୍କ ଉପରେ ମଧ୍ୟ ଟ୍ରମ୍ପଙ୍କ ଶକ୍ତ ପ୍ରହାର ପଡିବାକୁ ଯାଉଛି । ଗତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ଆମେରିକା ଏଚ୍‌-୧ବି ଭିସା ଜାରି କରିଥିଲା । ସେମାନଙ୍କ ମଧ୍ୟରେ ୨୪,୭୬୬ ଜଣ ଥିଲେ ଭାରତୀୟ । କିନ୍ତୁ ସେମାନଙ୍କୁ ମଧ୍ୟ ଆମେରିକାରୁ ତଡାଯିବ । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଟ୍ରମ୍ପ ଶପଥ ନେବା ପରେ ବେଆଇନ ଅନୁପ୍ରବେଶର ମୁଖ୍ୟ କେନ୍ଦ୍ର ଥିବା ଦକ୍ଷିଣ ସୀମାକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେବା ସହ ସେଠାରେ ଜରୁରି ପରିସ୍ଥିତି ଘୋଷଣା କରିଥିଲେ । କହିଥିଲେ ଆମେ ସବୁଦିନ ପାଇଁ ବେଆଇନ ଅନୁପ୍ରବେଶକୁ ରୋକିବୁ । ଆମକୁ କେହି ଦଖଲ କରିପାରିବେ ନାହିଁ କିମ୍ବା ଆମ ଉପରେ କେହି ଆଧିପତ୍ୟ ଜାହିର କରିପାରିବେ ନାହିଁ । ଆମେ ପୁଣି ମୁକ୍ତ ଓ ଗୌରବାନ୍ୱିତ ହେବୁ ।

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE