ସ୍ୱତନ୍ତ୍ର

କେନିଆର ନାଇରୋବିଠାରେ ଉଇକିମାନିଆ ୨୦୨୫ରେ ଯୋଗଦେଲେ ଓଡ଼ିଶାର ଉଇକିଆଳି

0
(0)

ଉଇକିମିଡ଼ିଆ ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର କେନିଆର ନାଇରୋବି ସହରରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦ ବର୍ଷରେ ପଦାର୍ପଣ କରିବା ସହିତ ଏହି ବର୍ଷ ୬ ରୁ ୯ ଅଗଷ୍ଟ ଯାଏଁ ଚାରିଦିନ ବ୍ୟାପୀ ଚାଲିବ ।

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍‌ର ସଦସ୍ୟ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ପ୍ରତିନିଧିତ୍ୱ କରିଥିଲେ । ଚିନ୍ମୟୀ ବୃତ୍ତିରେ ଜଣେ ଇଞ୍ଜିନିୟର ଏବଂ ୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିଲେ । ଭେଦଭାବ କିମ୍ବା ପକ୍ଷପାତରୁ ମୁକ୍ତ ହୋଇ ସମସ୍ତଙ୍କୁ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ଥିବା ଏକ ସମାବେଶୀ ସ୍ଥାନ ସୃଷ୍ଟି କରିବାର ପ୍ରୟାସ ପାଇଁ ସେ ଜଣାଶୁଣା । ଚିନ୍ମୟୀ ଏଥର ଉଇକିମାନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଉଇକି ଓମେନ୍ସ କ୍ୟାମ୍ପର ବିଶେଷ ଆୟୋଜନ କରିଛନ୍ତି । ୨୦୨୩ ମସିହାରେ, ସେ ଉଇକି ଓମେନ୍ସ କ୍ୟାମ୍ପ ଭାତରେ ଆୟୋଜନ କରାଇଥିବାବେଳେ ମହିଳାମାନଙ୍କ ସକ୍ରିୟ ଯୋଗଦାନ ପାଇଁ କାମ କରି ଆସୁଛନ୍ତି ।

୨୦୧୪ ମସିହାରୁ ଉଇକିମିଡ଼ିଆରେ ଯୋଗ ଦେଇଥିବା ଅନ୍ୟତମ ସକ୍ରିୟ ଉଇକିଆଳି ସଂଗ୍ରାମ କେଶରୀ ସେନାପତି ଓଡ଼ିଆ ଉଇକିପିଡ଼ିଆ, ଓଡ଼ିଆ ଉଇକିପାଠାଗାର, ଉଇକିମିଡ଼ିଆ କମନ୍ସ, ଉଇକିଡାଟା ଓ ଲିଙ୍ଗୁଆଲିବ୍ରେ ଆଦିରେ ସକ୍ରିୟ ଭାବରେ ଅବଦାନ କରି ଆସୁଛନ୍ତି । ୨୦୧୭ ମସିହାରୁ, ସେ ଓଡ଼ିଆ ଉଇକିପିଡ଼ିଆରେ ପ୍ରତିଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ଆସୁଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୩୦୦୦ ଦିନ ଅତିକ୍ରମ କରି ସାରିଲେଣି । ଉଇକିମିଡ଼ିଆ ସମୁଦାୟରେ ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ସମ୍ପାଦନା ସହିତ ସଂଗ୍ରାମ ଏବେ ଓଡ଼ିଆ ଉଇକିପାଠାଗାରରେ ପରିଚ୍ଛା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଲିଙ୍ଗୁଆ ଲିବ୍ରେରେ ତାଙ୍କର ଓ ସୁଭାସିସଙ୍କର ବଳିଷ୍ଠ ଯୋଗଦାନ ଯୋଗୁଁ ଏହି ପ୍ରକଳ୍ପର ଓଡ଼ିଆ ୨ୟ ସ୍ଥାନରେ ପହଞ୍ଚିପାରିଛି ।

୨୦୧୧ ମସିହାରୁ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପ ସହ ଜଡ଼ିତ ଥିବା ଓଡ଼ିଆ ଉଇକିପିଡ଼ିଆର ପରିଚ୍ଛା ସୁଭାସିସ ପାଣିଗ୍ରାହୀ ଅନ୍‌ଲାଇନ୍ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଓପନ୍‌ସ୍ପିକ୍‌ସ୍ ଆର୍‌କାଇଭ୍‌ସ୍: ଉଇକିମିଡ଼ିଆ ପ୍ରକଳ୍ପ ପାଇଁ ଭାଷାର ଡିଜିଟାଲ୍ ସଂଗ୍ରହାଳୟ ଉପରେ ଉପସ୍ଥାପନା କରିଥିଲେ ।

ଏଥର ଉଇକିମାନିଆରେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିନିଧିତ୍ୱ କରୁଥିବା ଦୁର୍ଗା ସୋରେନ, ୨୦୧୭ ମସିହାରୁ ସାନ୍ତାଳୀ ଉଇକିପିଡ଼ିଆରେ ସକ୍ରିୟ ଭାବରେ କାମ କରୁଛନ୍ତି । ସେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିଷ୍ଠା ତଥା ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏଆଇ/ଏମ୍‌ଏଲ୍ ମଡେଲ, ଅନୁବାଦ ଉପକରଣ ନିର୍ମାଣ ଓ ଗବେଷଣା ଉଦ୍ଦେଶ୍ୟରେ ସାନ୍ତାଳୀ ଭାଷା ଡାଟାସେଟ୍ ତିଆରି ପାଇଁ ବିଭିନ୍ନ ଭାରତୀୟ ଜାତୀୟ ତଥା ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ସହ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ, ସେ ଏନ୍‌ଆଇଟି ଜାମସେଦପୁରରେ ଜଣେ ପ୍ରକଳ୍ପ ସହାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ଓଡ଼ିଆ ଉଇକିଆଳିମାନେ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପିଡ଼ିଆର ବିବିଧ କାର୍ଯ୍ୟକୁ ନେଇ ଏକ ପୋଷ୍ଟର ଉପସ୍ଥାପନ କରୁଛନ୍ତି, ଯାହାକି ଆସନ୍ତା ଅଗଷ୍ଟ ୮ ତାରିଖରେ ପ୍ରଦର୍ଶିତ ହେବ ।

ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ ସମ୍ମିଳନୀରେ ଓଡ଼ିଶାର ଏହି ଉଇକିଆଳିଙ୍କ ଅଂଶଗ୍ରହଣ ଉଇକିମିଡ଼ିଆ ସମୁଦାୟରେ ଓଡ଼ିଆ ଓ ସାନ୍ତାଳୀ ଭାଷା ସମ୍ପ୍ରଦାୟର ବଢ଼ୁଥିବା ଯୋଗଦାନ ଓ ଅବଦାନର ପ୍ରମାଣ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ସେମାନଙ୍କ ଅନୁଭୂତି ବାଣ୍ଟିବା, ବିଶ୍ୱ ସମୁଦାୟଠାରୁ ଶିଖିବା ତଥା ଉଇକିମିଡ଼ିଆ ଆନ୍ଦୋଳନର ବହୁଭାଷୀ ପ୍ରୟାସକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE