ଇରାନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ସିନ୍ଧୁ’ ଆରମ୍ଭ କଲା ଭାରତ
ଇରାନ ଓ ଇସ୍ରାଏଲ ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ । ଏପରି ସ୍ଥଳେ ଯୁଦ୍ଧତ୍ରସ୍ତ ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ଆରମ୍ଭ କଲା ‘ଅପରେସନ୍ ସିନ୍ଧୁ’ । ଇରାନ-ଇସ୍ରାଏଲ୍ ଯୁଦ୍ଧ ସ୍ଥିତି ଜାରି ଥିବାବେଳେ, ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ‘ଅପରେସନ୍ ସିନ୍ଧୁ’ ଆରମ୍ଭ କରିଛନ୍ତି ଭାରତ ସରକାର । ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର ଇରାନରୁ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ଧାର କରାଯାଇଛି । ସେମାନେ ଆର୍ମେନିଆ ଦେଇ ଭାରତ ଫେରୁଛନ୍ତି ।
ଭାରତୀୟ ଛାତ୍ରଛାତ୍ରୀ ଆର୍ମେନିଆ ରାଜଧାନୀ ୟେରେଭାନ ଛାଡ଼ିସାରିଥିବା ବେଳେ, ଆସନ୍ତାକାଲି ଭୋରରୁ ଦିଲ୍ଲୀରେ ପହଞ୍ଚିବେ । ଏହି ୧୧୦ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୯୦ ଜଣ କାଶ୍ମିରୀ ଥିବା ସୂଚନା ମିଳିଛି । ଏଥିସହ ଇରାନରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରୁଛି ଭାରତୀୟ ଦୂତାବାସ ।
