ଦିଲ୍ଲୀ କମଳା ନଗରରେ ପାଳିତ ହୋଇଛି ଅଦିନିଆ ରଥଯାତ୍ରା
ଆସନ୍ତା ୨୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତିନି ରଥରେ ବସି ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଗହଣରେ ମାଉସୀ ଘରକୁ ଯିବେ ଦାରୁ ଦିଅଁ । ଏଥିପାଇଁ ଜୋରସୋର୍ରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ପାଇଁ ଡ୍ରୋନର ସହାୟତା ନିଆଯିବ । ପୁରୀକୁ ୨୭୫ଟି AI କ୍ୟାମେରା ଜଗିବ ।
ଅନ୍ୟପଟେ ଦିଲ୍ଲୀ କମଳା ନଗରରେ ଆଜି ପାଳନ ହୋଇଛି ଅଦିନିଆ ରଥଯାତ୍ରା। ଉକ୍ତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସହ ସାମିଲ ହୋଇଛନ୍ତି ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ନିଜ ସୋସିଆଲ ମିଡିଆରେ ଅଦିନିଆ ପାଳିତ ହୋଇଥିବା ରଥଯାତ୍ରା ଫଟୋ ସେୟାର କରି ରେଖା ଲେଖିଛନ୍ତି, ଦିଲ୍ଲୀ ଭୂମିରେ ରଥଯାତ୍ରାର ଏହି ପବିତ୍ର ପର୍ବ ଆମର ଚିରନ୍ତନ ପରମ୍ପରା, ସାମାଜିକ ଏକତା ଏବଂ ସେବା ଭାବନାର ଏକ ଜୀବନ୍ତ ଉଦାହରଣ । ଆମେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ଆମ ସମସ୍ତଙ୍କୁ ସଂଯମ, ସେବା ଏବଂ ରାଷ୍ଟ୍ର ନିର୍ମାଣ ପଥରେ ଆଗେଇ ନିଅନ୍ତୁ ।
ତେବେ ଉକ୍ତ ଅଦିନିଆ ରଥଯାତ୍ରା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଥିବା ଦେଖିବାକୁ ମିଳିଛି । ଇସ୍କନର ଅଦିନିଆ ରଥଯାତ୍ରା ଏବଂ ଦୀଘାଧାମ ବିବାଦକୁ ନେଇ ଜଗନ୍ନାଥ ମନ୍ଦିର ପ୍ରସାଶନ ଏବଂ ଅଧିକାରୀ ଘନଘନ ଜେରା କରିଥିବା ବେଳେ । ଦିଲ୍ଲୀରେ ପାଳିତ ଏହି ଅଦିନିଆ ରଥଯାତ୍ରା ସମୟରେ ଚୁପ୍ କାହିଁକି ବୋଲି ସୋସିଆଲ ମିଡିଆରେ ୟୁଜର୍ସ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଉକ୍ତ ଘଟଣାକୁ କିଛି ୟୁଜର୍ସ ରାଜନୈତିକ ମୋଡ଼ ଦେଇଛନ୍ତି । ଦିଲ୍ଲୀରେ ଭାଜପା ସରକାର ଥିବାରୁ ଅଧିକାରୀ ଚୁପ୍ ରହିଥିବା ଲେଖିଛନ୍ତି ୟୁଜର୍ସ ।
ତେବେ ଉକ୍ତ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ କଣ ପଦକ୍ଷେପ ନେବେ ତାହାକୁ ଅପେକ୍ଷା କରିଛନ୍ତି କୋଟିକୋଟି ଜଗନ୍ନାଥ ପ୍ରେମୀ ।
