ଝାରସୁଗୁଡ଼ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କଲେ ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ, ରାଜ୍ୟପାଳ ଡ.ହରିବାବୁ କୁମ୍ଭମପାଟି । ସେଠାରୁ ସଡ଼କପଥରେ ଅମଲିପାଲି ସଭାସ୍ଥଳକୁ ଯାଇଛନ୍ତି । ସାଢ଼େ ୧୧ରୁ ସାଢ଼େ ୧୨ ଯାଏଁ ସମାବେଶସ୍ଥଳରେ ରହିବେ । ପ୍ରାୟ ଘଣ୍ଟାଏ କାଳ ମୋଦି ମଞ୍ଚରେ ରହିବା ପରେ ଝାରସୁଗୁଡ଼ା ବିମାନବନ୍ଦରକୁ ଫେରି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ୬୦ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିବେ । ଦୂରସଂଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ସହ ଗ୍ରାମ୍ୟ ଗୃହ ନିର୍ମାଣର ଏହି ପ୍ରକଳ୍ପଗୁଡ଼ିକ ଦେଶବାସୀଙ୍କୁ ହେବ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି । ସମାବେଶରେ ମୋଦି ସାଧାରଣ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
