ଜାତୀୟ

ପୁଣି ଇସ୍କନ୍‌ର ଅଦିନିଆ ରଥଯାତ୍ରା: ପୂର୍ବରୁ ଚିଠି ଲେଖି ବାରଣ କରିଥିଲେ ଗଜପତି

0
(0)

ଅ-ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା କରି ପୁଣି ବିବାଦୀୟ ସ୍ଥିତି ସୃଷ୍ଟି କରିଛି ଇସ୍କନ୍। ଅକ୍ଟୋବର ୭ ତାରିଖରେ ଋଷିକେଶର ମଧୁବନ ଆଶ୍ରମ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ୨୮ତମ ରଥଯାତ୍ରା କରାଯାଇଛି। ଅଦିନରେ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବାରମ୍ବାର କ୍ଷୋଭ ପ୍ରକାଶ କରିବା ସହ ଗତ ସେପ୍ଟେମ୍ବର ୬ ତାରିଖରେ ବସିଥିବା ବୈଠକର ନିଷ୍ପତ୍ତି ମୁତାବକ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠା ସମ୍ବଳିତ ଚିଠି ଇସ୍କନ୍‌ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଇସ୍କନ୍‌କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଗଜପତି। ମାତ୍ର ମାସେ ଯାଇନି, ଇସ୍କନ୍‌ ଏହି ଚିଠିକୁ ଫୁ କରିଦେଇଛି। ଅନ୍ୟପକ୍ଷରେ ଇସ୍କନ୍‌ର ଏଭଳି ମନମାନିକୁ ନେଇ ଜଗନ୍ନାଥପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‘ଆଉ କ୍ଷମା ନାହିଁ, ଇସ୍କନ୍‌ର ଏହି ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଉ’ ବୋଲି ଦାବି କରିଛନ୍ତି।

ବଡ଼କଥା ହେଉଛି, ଗଜପତି ଚିଠି ଲେଖିବା ପରେ ‘ଇସ୍କନ୍‌ ବ୍ୟୁରୋ’ ପକ୍ଷରୁ ଏହାର ଉତ୍ତର ଆସିଥିଲା। ଗଜପତିଙ୍କୁ ଆସିଥିବା ଉତ୍ତରରେ ଭାରତରେ ଏଭଳି ଆଉ ବ୍ୟତିକ୍ରମ ହେବନାହିଁ ବୋଲି ଇସ୍କନ୍‌ ବ୍ୟୁରୋ ପ୍ରତିଶ୍ରୁତି ଦେଇଥିଲା। ହେଲେ ମାସେ ନ ପୂରୁଣୁ କିଭଳି ବ୍ୟତିକ୍ରମ ହେଲା, ତାହା ସମସ୍ତଙ୍କୁ ଚକିତ କରିଛି। ଏହା କଦାପି କ୍ଷମଣୀୟ ନୁହେଁ। ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର କହିଛନ୍ତି। ଏଥର ଚାରିଚକିଆ ଗାଡ଼ିରେ ମହାପ୍ରଭୁ
ପୂର୍ବରୁ ଚିଠି ଲେଖି ବାରଣ କରିଥିଲେ ଗଜପତି
ଏଭଳି ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ଇସ୍କନ୍‌ ବ୍ୟୁରୋ
ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଲା

ବରିଷ୍ଠ ସେବାୟତ ତଥା ଛାମୁଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମାଦଳା ପାଞ୍ଜି ଓ ବାମଦେବ ସଂହିତାରେ ମହାପ୍ରଭୁଙ୍କ ନୀତିକାନ୍ତିର ବିସ୍ତୃତ ବର୍ଣ୍ଣନା ରହିଛି। ଏକ ସ୍ବତନ୍ତ୍ର ବିଧି ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଶାସ୍ତ୍ରୀୟ ବିଧି ଅନୁଯାୟୀ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଜଗନ୍ନାଥଧାମ ଆଧାରରେ ହିଁ ବିଶ୍ୱବ୍ୟାପୀ ରଥଯାତ୍ରା ହେବା କଥା। ଇସ୍କନ୍‌ କିନ୍ତୁ ବାରମ୍ବାର ଏହାକୁ ଉଲ୍ଲଂଘନ କରି ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଉଛି। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯେଉଁମାନେ ରଥଯାତ୍ରା କରିବାକୁ ଚାହୁଛନ୍ତି ମୂଳପୀଠର ବିଧି ମୁତାବକ ଆୟୋଜନ କରନ୍ତୁ।

ସୂଚନାଯୋଗ୍ୟ ଯେ ଋଷିକେଶର ଏହି ରଥଯାତ୍ରା ସକାଳ ସାଢ଼େ ୯ଟାରେ ମଧୁବନ ଆଶ୍ରମଠାରୁ ବାହାରି ତ୍ରିବେଣୀ ଘାଟ, ଗୁରୁଦ୍ୱାର ଶ୍ରୀଗୁରୁ ସିଂ ସଭା ରେଲୱେ ରୋଡ୍‌ରେ ଶେଷ ହୋଇଥିଲା। ରଥ କୌଣସି କାଠ କିମ୍ବା ଅନ୍ୟ କେଉଁ ଧାତୁରେ ନିର୍ମାଣ ହୋଇ ନଥିଲା। ବରଂ ଏକ ଚାରିଚକିଆ ଯାନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବସି ଯାଉଥିବା ଦେଖିବାକୁ ମିଳିଥିଲା। ଅନେକ ଜଗନ୍ନାଥପ୍ରେମୀ ଏହାକୁ ଦେଖିବା ପରେ ଅପମାନବୋଧ ଅନୁଭବ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଏଭଳି ରାଜରାସ୍ତାରେ ନଷ୍ଟ କରିବା ଦେଖି ଅନେକ କ୍ଷୋଭ ପ୍ରକାଶ କରିଛନ୍ତି। ଗଜପତି ମହାରାଜା ଚିଠି ଲେଖିବା ପରେ ବି ଇସ୍କନ୍‌ର ଏଭଳି ମନମାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE