ରାଜ୍ୟ

ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

0
(0)

ଚାଷୀଙ୍କ ମୁହଁରେ ଫୁଟିଲା ହସ। ଆର୍ଥିକ ସହାୟତା ଦେଲେ ସରକାର। ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀଠାରେ ଉପସ୍ଥିତ ରହି ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଆଇ.ସି.ଏ.ଆର୍-ସିଫାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ହି ସହାୟତା ରାଶି ପ୍ରଦାନ କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ହିସାବରେ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇ ଭଉଣୀଙ୍କ ସରକାର । ଆମ ସରକାର ମାତ୍ର ବର୍ଷକ ମଧ୍ୟରେ ଆପଣମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆପଣମାନେ ଏହାର ସୁଫଳ ମଧ୍ୟ ପାଉଛନ୍ତି । ସି.ଏମ୍‍ କିଷାନରେ ଆମ ରାଜ୍ୟର ୫୦ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍‍ କିଷାନ ଓ ସି.ଏମ୍‍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଉଛି।”

“ପି.ଏମ କିଷାନ ଯୋଜନାର ୨୦ତମ କିସ୍ତି ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ଅବଧି ପାଇଁ ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି । ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ବଜାୟ ରହୁଛି । ଏଥିରେ ସମସ୍ତ ଚାଷୀ; ସେ କ୍ଷୁଦ୍ରଚାଷୀ ହୁଅନ୍ତୁ ବା ମଧ୍ୟମ କିମ୍ବା ବଡ଼ ଚାଷୀ, ସମସ୍ତଙ୍କୁ ଏହାର ସୁଫଳ ମିଳୁଛି। ସହରାଞ୍ଚଳର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଜିର ଏହି ଦିନକୁ ଆମେ “ପି.ଏମ କିଷାନଦିବସ” ଭାବରେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ । ଏଥି ସହିତ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ “ପି.ଏମ କିଷାନ ଦିବସ” ପାଳନ କରାଯାଉଛି। ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ” ବୋଲି ସେ କହିଛନ୍ତି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଓଡ଼ିଶାକୁ ‘ଏଗ୍ରିକଲଚର ଟୁଡ଼େ’ ପୁରସ୍କାର ମିଳିଛି । ୩୪,୮୫,୮୮୧ ଚାଷୀଙ୍କୁ ୬୯୭ କୋଟି ଟଙ୍କା ଦିଆଯାଉଛି । ଏହି ରାଶିରେ ଚାଷୀମାନେ ବିହନ ସାର କିଣିବେ । ରାଜ୍ୟ ସରକାର କୃଷକଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଚେଷ୍ଟିତ । ପଇସା ଆୟ କରିବା ସହିତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଜୈବ ଚାଷ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଆଇ.ସି.ଏ.ଆର୍‌ର ଡେପୁଟି ଡାଇରେକ୍ଟର ଜେନେରାଲ ଡକ୍ଟର ଜେ.କେ ଜେନା, ଆଇ.ସି.ଏ.ଆର୍‌-ସିଫାର ଡାଇରେକ୍ଟର ଡକ୍ଟର ପି.କେ ସାହୁ, ଉଦ୍ୟାନ କୃଷି ଡାଇରେକ୍ଟର ସୁବ୍ରତ କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ ଓ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE