ସ୍ୱତନ୍ତ୍ର

ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା: ୩୮ ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ

0
(0)

କଳା, ସଂସ୍କୃତି ଓ ପରମ୍ପରାର ମାଟି ଢେଙ୍କାନାଳ । ଏଠାରେ ପ୍ରତ୍ୟେକ ପର୍ବପର୍ବାଣି ସଂସ୍କୃତି ଓ ଭାଇଚାରା ମଧ୍ୟରେ ପାଳନ କରାଯାଏ । ଢେଙ୍କାନାଳର ଗଣପର୍ବ ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ଏହାକୁ ନେଇ ଚଳଚଞ୍ଚଳ ପୂଜା ମଣ୍ଡପ । ମା’ଙ୍କ ଭବ୍ୟ ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।

ସୋମବାର କଳସ ଯାତ୍ରା, ଆବାହନ ଆଦି ପୂଜା କରାଯାଇ ସଂଧ୍ୟାରୁ ମା’ଙ୍କୁ ଚକ୍ଷୁଦାନ କରାଯିବା ପରେ ବିଧିବଦ୍ଧ ଭାବେ ପୂଜା ହୋଇଥିଲା । ଏଥର ୯ ଦିନ ବ୍ୟାପୀ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯିବ ,୧୪ ତାରିଖ ଯାଏଁ ଚାଲିବ ପୂଜା। ୧୫ ତାରିଖ ବୁଧବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଏକାଠି ହୋଇ ଜୋରଦାର୍‌ ପ୍ରସ୍ତୁତିରେ ଲାଗି ପଡ଼ିବେ । ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମା’ଙ୍କର ମୃଣ୍ମୟୀ ମୂର୍ତ୍ତିରେ କାରିଗର ଶେଷସ୍ପର୍ଶ ଦେଇ ସାରିଛନ୍ତି । ସୁଦୃଶ ତୋରଣ ଓ ରଙ୍ଗିନ୍‌ ଆଲୋକମାଳାରେ ସହର ସଜେଇ ହୋଇଛି ।

ସହରର ପ୍ରବେଶ ପଥ କଲେଜ୍‌ ବାଇପାସ୍‌ରୁ ଆରମ୍ଭ କରି କୋରିଆଁ, ଭଗବାନପୁର ଠାରୁ ବନମାଳିପ୍ରସାଦ ପର୍ଯ୍ୟନ୍ତ ୩୮ ଗୋଟି ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା’ ପଦ୍ମାଳୟା । ସବୁଠି ଉତ୍ସାହ ଓ ଉଦ୍ଦୀପନା ଦେଖାଦେଲାଣି । ପାର୍ବଣରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଲାଣି । ରବିବାର ଛୁଟି ଦିନ ଥିବାରୁ ସଂଧ୍ୟାରୁ ପୂଜା ବଜାରକୁ ବେଶ୍‌ ସରଗରମ କରିଦେଲାଣି । ମା’ଙ୍କୁ ସ୍ୱାଗତ ପାଇଁ ରଙ୍ଗୀନ ଆଲୋକମାଳାରେ ନବବଧୂ ପରି ସଜେଇ ହୋଇଛି ସମଗ୍ର ସହର । ଐତିହ୍ୟ, ପୌରାଣିକ ଏବଂ ସାଂପ୍ରତିକ ବିଷୟବସ୍ତୁକୁ ଆଧାର କରି ଅଧିକାଂଶ ପୂଜା ମଣ୍ଡପରେ ସାଜସଜ୍ଜା ହୋଇଛି । ଆଖି ଝଲସାଇ ଦେବା ଭଳି ବିଜୁଳି ଆଲୋକ ଖଚିତ ହୋଇଛି । ମୀନା ବଜାର, କୈବଲ୍ୟ ବଜାର, ଗଣେଶ ବଜାର, ଗୁଡି଼ଆନାଳୀ, ଲକ୍ଷ୍ମୀ ବଜାର, ଦେଉଳସାହି ପ୍ରମୁଖ ପୂଜା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଚାନ୍ଦିମେଢ଼ କରାଯାଇଛି । ସେହିପରି ପ୍ରଥମଥର ପାଇଁ କାଞ୍ଚନ ବଜାର ପୂଜା ମଣ୍ଡପରେ ଚଳିତବର୍ଷ ଚାନ୍ଦିମେଢ଼ ଶୋଭା ପାଇବ । ଏହା ବ୍ୟତିତ ଅଧିକାଂଶ ପ୍ରତିଷ୍ଠାନରେ ମହାଲକ୍ଷ୍ମୀଙ୍କ ସୁନା, ରୁପାର ମୁକୁଟ ତିଆରି ହୋଇଛି ।

ଗଣେଶ ବଜାର, ବସ୍‌ଷ୍ଟାଣ୍ଡ, ଲକ୍ଷ୍ମୀ ବଜାର ପ୍ରଭୃତି ପୂଜା ପ୍ରତିଷ୍ଠାନ ପକ୍ଷରୁ ବିଶାଳ ତୋରଣ ନିର୍ମାଣ କରାଯାଇଛି । ପୂଜା ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଅସ୍ଥାୟୀ ଦୋକାନୀମାନେ ସେମାନଙ୍କ ପସରା ମେଲାଇଲେଣି । ମନୋରଞ୍ଜନ ପାଇଁ ରଥଗଡ଼ା, ମିନି ଷ୍ଟାଡିୟମ୍‌, ବି.ବି ହାଇସ୍କୁଲ୍‌, ଜୁବୁଲି ଟାଉନ୍‌ ଆଦି ପଡି଼ଆରେ ଭଳିକି ଭଳି ଦୋଳି ପଡ଼ିଛି । ବିଭିନ୍ନ ପ୍ରକାର ଖାଦ୍ୟର ପସରା, ଢେଙ୍କାନାଳ ବରା, ହସ୍ତଶିଳ୍ପର ବିପଣନ ମୁଖ୍ୟ ଆକର୍ଷଣ ପାଲଟିବ । ଚଳିତବର୍ଷ ପାଗ ଅନୁକୂଳ ଦେଲେ ପୂଜା ବଜାରକୁ ସରଗରମ କରିବ ବୋଲି ପୂଜା କମିଟି ତଥା ସହରବାସୀ ଆଶା ବାନ୍ଧିଛନ୍ତି । ସେହିପରି ୮ ତାରିଖ ବୁଧବାରଠାରୁ ମହିଷାପାଟ ବାଇପାସ୍‌ ଛକ ନିକଟସ୍ଥ ପଡ଼ିଆଠାରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହେବ । ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ଗ୍ରାମାଞ୍ଚଳ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀର ପ୍ରଦର୍ଶନୀ ସହିତ ସ୍ୱାଦିଷ୍ଟ ଖାଦ୍ୟ ପ୍ରଦର୍ଶିତ ହେବ । ପୂଜା ସମୟରେ ଆଇନ୍‌ଶୃଙ୍ଖଳା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲ୍ଲା ପୁଲିସ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସହରରେ ଘେରାଏ ବୁଲି ଆସିଲେ ପୂଜାର ମାହୋଲ କିଭଳି ଅଛି ତାହା ବେଶ୍‌ ଅନୁଭବ କରି ହେଉଛି ।

ଚଳିତବର୍ଷ କାଞ୍ଚନ ବଜାର ପୂଜା ପ୍ରତିଷ୍ଠାନ ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି । ଏଥିପାଇଁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି । ପୂଜା କମିଟି ପକ୍ଷରୁ ଦୁର୍ଗ ଶୈଳୀ ସଦୃଶ ତୋରଣ ନିର୍ମାଣ କରାଯାଇଛି । ପୂଜା ମଣ୍ଡପରେ ପୌରାଣିକ କଥାବସ୍ତୁକୁ ନେଇ ଦୃଶ୍ୟ ପ୍ରଦର୍ଶିତ ହେବ । ଏହି ଅବସରରେ ପୂଜା ପ୍ରତିଷ୍ଠାନ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା ରହିଛି । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବିଭିନ୍ନ ସଂଧ୍ୟାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା, ସଂହତି ଓ ଭାଇଚାରାର ନିଦର୍ଶନ ଢେଙ୍କାନାଳ ଲକ୍ଷ୍ମୀପୂଜା ୮୩ ବର୍ଷରେ ପଦାର୍ପଣ କରିଛି । ପ୍ରଥମେ ଚାଳ ଛପର ଘରେ ମାତ୍ର ୫ ଶହରୁ ୧ ହଜାରେ ଟଙ୍କାରେ ପୂଜା ହେଉଥିବା ବେଳେ ଏବେ ପ୍ରତିଯୋଗିତା ମୂଳକ ସାଜସଜ୍ଜାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହିନ୍ଦୁମୁସଲମାନ, ଶିଖ୍‌ ସମସ୍ତ ସଂପ୍ରଦାୟର ବ୍ୟକ୍ତି ବିଶେଷ ଏକାଠି ହୋଇ ପୂଜାକୁ ଧୂମ୍‌ଧାମ୍‌ରେ ପାଳନ କରିବାକୁ ଲାଗି ପଡ଼ିଛନ୍ତି । ଅଧିକାଂଶ ପୂଜା ମଣ୍ଡପରେ ମୁସଲମାନର ସଂପ୍ରଦାୟର ନେତୃତ୍ୱ ନେଇ ସବୁ କାର୍ଯ୍ୟ ପରିଚାଳନା କରୁଛନ୍ତି । ଚଳିତବର୍ଷ ଢେଙ୍କାନାଳ ଲକ୍ଷ୍ମୀପୂଜାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟତା ସ୍ୱରୂପ ୩୮ଟି ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ଲେଖାଏଁ କରି ୧୯ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE