ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକ
ଆଉ ନାହାନ୍ତି ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି । କିଛି ମାସ ହେବ ଅସୁସ୍ଥ ଥିଲେ ଜର୍ଜ ତିର୍କି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୬୭ ବୟସରେ ଆଖି ବୁଜିଛନ୍ତି ଜର୍ଜ ତିର୍କି । ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ପୈତୃକ ଗାଁ ଝୁନମୁରରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ସୂଚନା ମିଳିଛି ।
ପ୍ରାୟ ୩ ମାସ ହେବ ଅସୁସ୍ଥ ଥିଲେ ଜର୍ଜ ତିର୍କି । ଗୁରୁବାର ଅପରାହ୍ନରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ୪ ଥର ବିଧାୟକ ଥିଲେ ଜର୍ଜ । ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ । ଜେଏମ୍ଏମ୍ରୁ ୨ ଥର, ଥରେ ସ୍ୱାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ଜିତି ବିଧାୟକ ହୋଇଥିଲେ । ଜର୍ଜ ତୀର୍କି ରାଜ୍ୟ ରାଜନୀତିରେ ସମତା କ୍ରାନ୍ତି ଦଳର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସକ୍ରିୟ ଥିଲେ ।
ଜର୍ଜ ତିର୍କିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ”ବରିଷ୍ଠ ରାଜନେତା ତଥା ସୁନ୍ଦରଗଡ଼ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଜନସେବା କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ଅବଦାନ ଅତୁଳନୀୟ । ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।”
