ରାଜ୍ୟ

ସରକାରୀ ଅଫିସ ଜଗିବ ଏଆଇ କ୍ୟାମେରା

0
(0)

ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଦେଶ ଦିଆଯାଇଛି, ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦିଅ । ନିର୍ଦ୍ଧାରିତ ସମୟ ପୂର୍ବରୁ ବି ଅଫିସ ଛାଡ଼ି ପାରିବନି । ୩ ଥର ଅଧ ଘଣ୍ଟା ବିଳମ୍ବରେ ଆସିଲେ ଖାତାରୁ ଛୁଟି (ସିଏଲ୍‌) କଟିବ । ଖାଲି ଏତିକି ନୁହେଁ, ଆଗକୁ ଏଆଇ କ୍ୟାମେରା ଜଗିବ ସରକାରୀ କର୍ମଚାରୀଙ୍କ ଉପସ୍ଥାନ ଓ ଗତିବଧିକୁ । ଆରଏଫଆଇଡି ଟେକ୍ନୋଲୋଜି ଭିତ୍ତିକ ସ୍ମାର୍ଟ ପରିଚୟପତ୍ର ଜାରି ହେବ ସରକାରୀ କର୍ମଚାରୀଙ୍କୁ । ଏହି ଆଇକାର୍ଡକୁ ଅଫିସକୁ ପ୍ରବେଶ ଓ ପ୍ରସ୍ଥାନ ସମୟର ପଞ୍ଚିଂ କରିବାକୁ ହେବ ।

ପ୍ରଥମେ ଲୋକସେବା ଭବନ ଓ ଖାରବେଳ ଭବନ କର୍ମଚାରୀଙ୍କ ପାଇଁ ପାଇଲଟ ପ୍ରକଳ୍ପ ଭାବେ ଏଆଇ କ୍ୟାମେରା ଓ ଆରଏଫଆଇଡି ସ୍ମାର୍ଟ କାର୍ଡ ପ୍ରଚଳନ ହେବ । ତା’ପରେ ରାଜ୍ୟ ସାରା ସରକାରୀ ଅଫିସରେ ଏହାକୁ କାର୍ଯ୍ୟକାରୀ କରାଯିବ । ସାଧାରଣ ପ୍ରଶାସନ ବିଭାଗ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ତାଗିଦଭରା ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି, କନିଷ୍ଠ କର୍ମଚାରୀ, ଉଚ୍ଚପଦରେ ଥିବା କର୍ମଚାରୀ ସମସ୍ତେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ଉଚିତ । ପ୍ରତି ଅଫିସରେ ବାୟୋମେଟ୍ରିକ ମେସିନ ମାଧ୍ୟମରେ କର୍ମଚାରୀଙ୍କ ଉପସ୍ଥାନ ନିଆଯିବ । ଯେଉଁଠି ଅଛି, ତାହା ନିଶ୍ଚିତ ଭାବେ କାମ କରୁଥିବା ଆବଶ୍ୟକ । ନଥିଲେ ଶୀଘ୍ର ବାୟୋମେଟ୍ରିକ ମେସିନ ଲଗାଯାଉ । ଏହି ଉପସ୍ଥାନ ତଥ୍ୟକୁ ଏନଆଇସି ମାଧ୍ୟମରେ ବାୟୋମେଟ୍ରିକ ଆଟେଡାନ୍ସ ସିଷ୍ଟମ ପୋର୍ଟାଲରେ ଅପଲୋଡ୍‌ କରିବାକୁ ହେବ । ଜଣେ ଅଧିକାରୀ ପ୍ରତି ୧୫ ଦିନରେ ଥରେ ଏହାକୁ ଅନୁଧ୍ୟାନ କରିବେ । ପ୍ରତ୍ୟେକ କର୍ମଚାରୀ ଅଫିସକୁ ଆସିବା ଓ ଯିବା ସମୟରେ ବାୟୋମେଟ୍ରିକ ଉପସ୍ଥାନ ଦେବାକୁ ବାଧ୍ୟ । ଅଫିସରୁ ଯିବା ସମୟରେ ବାୟୋମେଟ୍ରିକ ଉପସ୍ଥାନ ନ ଦେଲେ, ତାହାକୁ ଅନୁପସ୍ଥିତ ବିବେଚିତ କରାଯିବ । ଯଦି କୌଣସି କର୍ମଚାରୀ ମାସରେ ୩ଦିନ ୩୦ମିନିଟ୍‌ ଲେଖାଏଁ ବିଳମ୍ବରେ ଆସିବେ, ସଂପୃକ୍ତ କର୍ମଚାରୀଙ୍କ ଗୋଟିଏ ଦିନ ଛୁଟି (କାଜୁଆଲ୍‌ ଲିଭ୍‌) କାଟି ଦିଆଯିବ ।

ଯେଉଁ କର୍ମଚାରୀମାନେ ଅଫିସରେ ବିଳମ୍ବ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି କିମ୍ବା ଛୁଟି ଦିନରେ ବି ଅଫିସ ଆସି କାମ କରୁଥିବେ, ସେମାନଙ୍କ କ୍ଷେତ୍ରରେ ସରକାର କୋହଳ ମନୋଭବ ଦେଖାଇବେ । ଏହି କର୍ମଚାରୀମାନେ ଯଥାର୍ଥ କାରଣ ଦର୍ଶାଇ ଏଭଳି କଠୋର ନିର୍ଦ୍ଦେଶନାମାରୁ ବାଦ୍‌ ପଡ଼ିପାରିବେ । ସେହିପରି ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହି କଡ଼ା ନିୟମ ଲାଗୁ ହେବ ନାହିଁ । ସେହିପରି ଅଫିସ ପକ୍ଷରୁ ବିଭିନ୍ନ ଟୁର୍‌ ଓ ଅଫିସ ବାହାର କାମରେ ନିୟୋଜିତ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ଦଣ୍ଡବିଧାନ ଲାଗୁ ହେବନି । ପ୍ରତି କର୍ମଚାରୀ କାର୍ଯ୍ୟଦିବସରେ ଅତି କମରେ ସାଢ଼େ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE