ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା , ଥାନାରେ ଦାୟର ହେଲା ଏତଲା
ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜକୁ ଅସୁବିଧାରେ ପକାଇଛନ୍ତି। ପୁଣେର ଜଣେ ଓକିଲ ହାର୍ଦ୍ଦିକଙ୍କ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ସେ ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି।
ପୁନେର ଶିବାଜୀନଗର ପୋଲିସ ଷ୍ଟେଶନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଏକ ଅଭିଯୋଗ ଦାୟର କରାଯାଇଛି। ସ୍ଥାନୀୟ ଓକିଲ ୱାଜିଦ ଖାନ ଅଭିଯୋଗ କରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ମ୍ୟାଚ ପରେ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ କରିଛନ୍ତି। ପାଣ୍ଡ୍ୟାଙ୍କୁ ଏକ ମଞ୍ଚରେ ଗର୍ଲଫ୍ରେଣ୍ଡଙ୍କ ସହ ଶୋଇଥିବାର ଦେଖାଯାଇଥିଲା। ଏହି ସମୟରେ ତାଙ୍କ ଶରୀରରେ ଜାତୀୟ ପତାକା ଗୁଡ଼ାଯାଇଥିଲା।
ଅଭିଯୋଗକାରୀ ଏହି ମାମଲାରେ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ଦାବି କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଜାତୀୟ ପତାକାକୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଏବଂ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯଦିଓ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନାହିଁ, ସେମାନେ ଏହି ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
