ସୁଧୁରୁଛି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା
ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ଉନ୍ନତି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ । ଭେଣ୍ଟିଲେଟରରୁ ବାହାରିଲେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ତାଙ୍କୁ ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲ୍ଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ, ଅଭିଜିତ ମଜୁମଦାର୍ ଗତ ସେପ୍ଟେମ୍ବର ୪ ତାରିଖରେ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ କୋମାରେ ଥିଲେ । ସେପ୍ଟେମ୍ଵର ୨୫ ତାରିଖରେ ଅଭିଜିତଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲା। ସେଥିପାଇଁ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସାଧାରଣ ୱାର୍ଡକୁ ଅଣାଯାଇଥିଲା । ହେଲେ ଅକ୍ଟୋବର ୧୧ରେ ଅସୁସ୍ଥତା ଯୋଗୁଁ ତାଙ୍କୁ ପୁଣିଥରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଅକ୍ଟୋବର ୨୩ରେ ତାଙ୍କର ବ୍ରେନ୍ ଏମଆରଆଇ କରାଯାଇଥିଲା। ହେଲେ ବିଶେଷ ଉନ୍ନତି ହୋଇନଥିଲା। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି । ତାଙ୍କୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।
ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ଅଛନ୍ତି। ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିଲା । ରକ୍ତରେ ସଂକ୍ରମଣ ଓ ପୁରୁଣା କିଡନୀ ରୋଗ ସହ ଭିଟାମିନ ‘ଡି’ ଓ ଫଲିକ୍ ଏସିଡ୍ ଭଳି ପୋଷକ ତତ୍ତ୍ୱର ଅଭାବ ରହିଥିବା ଜଣାପଡ଼ିଥିଲା ।
