ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ଫୁଟାଇ ପାରିବେ ବାଣ
ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ ।
ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ ।
ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
