ଅଡ଼ୁଆରେ ବିରାଟ ବାହିନୀ, RCB ଓ କ୍ରିକେଟ ଆସୋସିଏସନ ନାଁରେ କେସ୍ ରୁଜୁ
ବାଙ୍ଗାଲୁରୁ ଦଳାଚକଟା ଘଟଣାରେ ପୋଲିସ ନିଜ ଆଡୁ ଏକ କେସ୍ ରୁଜୁ କରିଛି । ଏହି କେଶରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ (RCB), କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍, ଡିଏନଏ ନେଟୱର୍କ ଓ ଅନ୍ୟମାନଙ୍କ ନାଁରେ ଏହି କେଶ୍ କରାଯାଇଛି । ଏହି ଦଳାଚକଟା ଘଟଣାରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଏହି ଘଟଣାକୁ ନେଇ ଏତଲା ଦେଇଛି ନିଜେ ପୋଲିସ । କ୍ୟୁବନ ପାର୍କ ପୋଲିସ ପକ୍ଷରୁ କେସ୍ ରୁଜୁ କରାଯାଇଥିବା ନେଇ ସେଣ୍ଟ୍ରାଲ ଡିସିପି ଶେଖର ଏଚ୍ ଟେକନ୍ନାବର ଏହି ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୨୫(୧୨), ୧୪୨, ୧୨୧ ଓ ୧୯୦ରେ ଏହି ଅପରାଧିକ କେଶ୍ ରୁଜୁ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏହି ଉତ୍ସବ ରବିବାର ଦିନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଛୁଟି ଦିନରେ ଭିଡ଼ କମ୍ ରହିବ ବୋଲି କୁହାଯାଇଥିଲା । ରବିବାର ଦିନ କରାଗଲେ, ପୋଲିସକୁ ଆୟୋଜନ କରିବାରେ ସମୟ ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସରକାର ଏହାକୁ ବିଜୟ ପରଦିନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ପରିଣାମ ଭୟଙ୍କର ଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ସକ୍ଷମ ହୋଇପାରିନଥିଲା ।
