ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଟିମ୍ ଇଣ୍ଡିଆ ଘୋଷଣl
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରିଷଭ ପନ୍ତ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ଆକାଶଦୀପ ମଧ୍ୟ ଆଘାତ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପନ୍ତଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବେ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ନଭେମ୍ବର ୧୪ ରୁ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଦଳରେ ଥିବା ଅଧିକାଂଶ ଖେଳାଳି ଏହି ଟିମ୍ରେ ଅଛନ୍ତି ।
କରୁଣ ନାୟାରଙ୍କୁ ପୁଣି ଥରେ ଅଣଦେଖା କରାଯାଇଛି। ସେ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ । ଇନିଂସ ଓପନିଂ ଦାୟିତ୍ୱ ପୁଣି ଥରେ ଯଶସ୍ୱୀ ଏବଂ ରାହୁଲଙ୍କ ଉପରେ ରହିବ। ସୁଦର୍ଶନ ୩ ନମ୍ବର ପୋଜିସନରେ ଖେଳିବେ। ସେହିଭଳି ସୁଦର୍ଶନ ୩ ନମ୍ବରରେ ସୁଯୋଗ ପାଇପାରନ୍ତି ଏବଂ ଦେବଦତ୍ତ ପାଡିକଲ କିମ୍ବା ଧ୍ରୁବ ଜୁରେଲଙ୍କୁ ଚତୁର୍ଥ ନମ୍ବରରେ ସୁଯୋଗ ମିଳିପାରେ। ଦଳରେ ଅକ୍ଷର, କୁଲଦୀପ, ସୁନ୍ଦର ଏବଂ ଜାଡେଜା ୪ ଜଣ ସ୍ପିନର ଅଛନ୍ତି । ବୁମରା, ସିରାଜ ଏବଂ ଆକାଶ ପେସ୍ ବିଭାଗ ସମ୍ଭାଳିବେ ।
ନୀତୀଶ ଜଣେ ପେସ୍ ବୋଲିଂ ଅଲରାଉଣ୍ଡର ଭାବରେ ଦଳରେ ଅଛନ୍ତି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୪ ନଭେମ୍ବରରୁ କୋଲକାତାର ଇଡେନ୍ ଗାର୍ଡେନସରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨୨ ନଭେମ୍ବରରୁ ଗୌହାଟୀରେ ଖେଳାଯିବ। ଏହା ପରେ, ଉଭୟ ଦଳ ନଭେମ୍ବର ୩୦ ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବେ । ତା’ପରେ ଡିସେମ୍ବର ୯ ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।
ଭାରତର ଟେଷ୍ଟ ଦଳ: ଶୁଭମନ ଗିଲ (ଅଧିନାୟକ),ରିଷଭ ପନ୍ତ (ୱିକେଟ୍ କିପର, ଉପଅଧିନାୟକ), ଯଶସ୍ୱୀ ଜୈସ୍ବାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ଧ୍ରୁଭ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଆକାଶଦୀପ ।
ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଲାଗି ଇଣ୍ଡିଆ-ଏ ଦଳ ମଧ୍ୟ ଘୋଷଣା କରାଯାଇଛି । ତିଳକ ବର୍ମା ଅଧିନାୟକ ଏବଂ ଋତୁରାଜ ଗାଏକ୍ବାଡ ଉପଅଧିନାୟକ ଦାୟିତ୍ବ ସମ୍ଭାଳିବେ । ଓ୍ବିକେଟ କିପିଂ ବିଭାଗ ଲାଗି ଇଶାନ କିଶନ ଏବଂ ପ୍ରଭସିମରନ ସିଂହଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଇଣ୍ଡିଆ-ଏ ଟିମ୍ରେ ସାମିଲ କରାଯାଇ ନାହିଁ ।
