ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି ।
ବିଦ୍ୟୁତ୍ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏନେଇ କ୍ୟାପିଟାଲ୍ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ, ଶଙ୍କର୍ଷଣ କିଛିଦିନ ହେବ ଯୋଗାଣ ମନ୍ତ୍ରୀଙ୍କ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ସେ ମନ୍ତ୍ରୀଙ୍କ ପରିବାର ସହ ରହି ଆସୁଥିଲେ । ଗୁରୁବାର ସକାଳୁ କାମ କରିବା ପାଇଁ ସେ ଏକ ପ୍ରକୋଷ୍ଠକୁ ଯାଇଥିଲେ ।
ଦିନ ପାଖାପାଖି ୯ଟା ସମୟରେ ଅନ୍ୟ କର୍ମଚାରୀ ସେହି ପ୍ରକୋଷ୍ଠକୁ ଯିବା ବେଳକୁ ଶଙ୍କର୍ଷଣ ସଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
