ନବଯୌବନ ଦର୍ଶନ
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ଅଣସର ଘରେ ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ୧୫ ଦିନର ଅଣସର ସରିବା ପରେ ଆଜି ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ ଲାଗି ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ । ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।
ରଥଯାତ୍ରା ପାଇଁ ସବୁ ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ୩୬୫ଟି ଅତିରିକ୍ତ ଟ୍ରେନର ବ୍ୟବସ୍ଥା କରିଛି ରେଳ ବିଭାଗ । ଚଳିତ ଥର ରେଳ ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ପାଇଁ AI, FRS ଓ ATVM ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଫେସ୍ ରିଡିଂ ସିଷ୍ଟମ, ଆଣ୍ଟି କ୍ରାଇମ୍ ୟୁନିଟ୍ ସହ ୨୫୦ ସିସିଟିଭି ମାଧ୍ୟମରେ ସୁରକ୍ଷା ଯାଞ୍ଚ କରାଯିବ । ଦମକଳ ଓ ଆମ୍ବୁଲାନ୍ସ ସହ ପ୍ରସ୍ତୁତ ରହିବ ୨୪ ଘଣ୍ଟିଆ ଡାକ୍ତରୀ ସେବା । ଏହାଛଡ଼ା ରଥଟଣାକୁ ନେଇ ଚୂଡ଼ାନ୍ତ ମକଡ୍ରିଲ କରିଛି ପୋଲିସ୍ । ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।
