୩୮ବର୍ଷ ବୟସରେ ବିଶ୍ବର ନମ୍ବର-୧ ବ୍ୟାଟର ହେଲେ ରୋହିତ୍
ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୩୮ ବର୍ଷ ବୟସରେ, ରୋହିତ ପ୍ରଥମ ଥର ପାଇଁ ICC ODI ରାଙ୍କିଙ୍ଗରେ ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ୍ ହୋଇଛନ୍ତି। ଏହି ସ୍ଥାନରେ ପହଞ୍ଚିବାରେ ସେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିବା ପାଇଁ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ୍। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଚମତ୍କାର ଇନିଂସ ପାଇଁ ରୋହିତ ନମ୍ବର ୧ ରାଙ୍କିଙ୍ଗ ହାସଲ କରିଥିବା ଜଣାଯାଇଛି।
ରୋହିତ ଶର୍ମା କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଏହି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ରୋହିତ ୩୮ ବର୍ଷ ୧୮୨ ଦିନ ବୟସରେ ICC ODI ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ହାସଲ କରିଥିବା ବେଳେ ସଚିନ ୨୦୧୧ ମସିହାରେ ୩୮ ବର୍ଷ ୭୩ ଦିନ ବୟସରେ ଟେଷ୍ଟ କ୍ରିକେଟରେ ଏହି ସଫଳତା ହାସଲ କରିଥିଲେ। ICC ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ପାଇବାରେ ତୃତୀୟ ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ଭିଭ ରିଚାର୍ଡସ, ଯିଏ ୩୭ବର୍ଷ ୨୩୦ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ।
ଅଷ୍ଟ୍ରେଲିଆ ଗସ୍ତ ସମୟରେ ରୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୭୩ ରନର ଦୁଇଟି ଚମତ୍କାର ଇନିଂସ ଏବଂ ଅପରାଜିତ ୧୨୩ ରନ କରିଥିଲେ। ଏହି ପ୍ରଦର୍ଶନ ପରେ, ସେ ଦିନିକିଆ ରାଙ୍କିଙ୍ଗରେ ନମ୍ବର ୧କୁ ଆସି ୩୮ବର୍ଷ ବୟସରେ ଏହି ସଫଳତା ହାସଲ କରିଥିବା ପ୍ରଥମ ଖେଳାଳି ହୋଇଥିଲେ। ଏହା ତାଙ୍କ ଦୀର୍ଘ କ୍ୟାରିଅର ଏବଂ କଠିନ ପରିଶ୍ରମର ଫଳାଫଳ ଯେ ସେ ତାଙ୍କ କ୍ୟାରିଅରର ଏହି ପର୍ଯ୍ୟାୟରେ ମଧ୍ୟ ଶୀର୍ଷରେ ପହଞ୍ଚିପାରିଛନ୍ତି।
